ବହୁମୁଖୀ ପାଇଲଟ ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ନବରଙ୍ଗପୁର କୃଷି କ୍ଷେତ୍ରରେ ଆଣିବ ଉନ୍ନତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ଭିଡିଓ କନଫରେନସିଂ ଜରିଆରେ ନବରଙ୍ଗପୁର ର ଉର୍ଣ୍ଣତ୍ତି ପାଇଁ ଏକ ବହୁମୁଖୀ ପାଇଲଟ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି । ଏହି ପ୍ରକଳ୍ପ ଦ୍ବାରା ଜିଲ୍ଲାର ଚାଷୀ ଓ ଗରିବ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅବସ୍ଥାରେ ଉନ୍ନତି ହେବ । ଚଳିତ ବର୍ଷ ୫.୨୧କୋଟି ଟଙ୍କା ଏହି ପ୍ରକଳ୍ପରେ ବିନିଯୋଗ ହେବ ।
ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବହୁମୁଖୀ ପ୍ରକଳ୍ପର ଶୁଭାରମ୍ଭ କରି କହିଥିଲେ, ଚାଷୀ ଓ ଚାଷର ଉର୍ଣ୍ଣତ୍ତି ପାଇଁ ସେ ସବୁବେଳେ ଗୁରତ୍ବ ଦେଇଆସିଛନ୍ତି ଏବଂ ଏଥିପାଇଁ ନୂଆ ନୂଆ ଯୋଜନା ହାତକୁ ନିଆଯାଉଛି । ଚାଷକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ । ଏହି ବହୁମୁଖୀ ପାଇଲଟ ପ୍ରକଳ୍ପ ଦ୍ବାରା ଜିଲ୍ଲାର ଉଦ୍ୟାନ କୃଷି, ମତ୍ସ୍ୟ ଓ ଅନ୍ୟ ଜଳଜୀବ ଚାଷ, କୁକୁଡା ଓ ପଶୁପାଳନ, ସୁଗନ୍ଧିତ ତୈଳ ଉତ୍ପାଦନ ଆଦି କ୍ଷେତ୍ରରେ ଚାଷୀଙ୍କ ଦକ୍ଷତା ଓ ରାଜଗାର ବୃଦ୍ଧି ପାଇବ । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ୧୫ଟି ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ସିଏସଆଇଆର, ଆଇସିଏଆର, ଆଇସିଏମଆର ଓ ଡିପାର୍ଟମେଣ୍ଟ ଅଫ ବାୟୋଟେକ୍ନୋଲୋଜି ଅଧିନରେ ଥିବା ୧୨ଟି ସଂସ୍ଥା ଏଥିରେ ସହଯୋଗ କରୁଛନ୍ତି ।
ଏହି ପ୍ରକଳ୍ପ ଦ୍ବାରା ଉଚ୍ଚ ଅମଳକ୍ଷମ ଫଳ ଓ ପନିପରିବା ଚାଷ, ଉନ୍ନତମାନର ଚାରା ଯୋଗାଣ କରାଯାଇ ବ୍ୟବସାୟୀକ ନର୍ସରୀ ପ୍ରତିଷ୍ଠା, ମକା, କନ୍ଦମୂଳ, ଦେଶିଆଳୁ ଆଦି ପନିପରିବା ଚାଷ, ଲେମନ ଗ୍ରାସ ଓ ହଳଦୀ ପରି ସୁଗନ୍ଧିତ ଦ୍ରବ୍ୟ ଚାଷ ଓ ତୈଳ ଉତ୍ପାଦନ, ଅଗରବତୀ, ମଶାଧୂପ ଆଦି ଦ୍ରବ୍ୟର ଉତ୍ପାଦନ, ଶୁଖିଲା ଫୁଲରୁ ବିଭିନ୍ନ ହସ୍ତଶିଳ୍ପ ପଦାର୍ଥ ଉତ୍ପାଦନ, ଜୈବସାର ଉତ୍ପାଦନ, ମତ୍ସ୍ୟ ଉତ୍ପାଦନ, ଜଳ ଅମଳ ପ୍ରକଳ୍ପ, ବାଡିବଗିଚାରେ ପନିପରିବା ସହିତ କୁକୁଡା ଓ ମତ୍ସ୍ୟ ଚାଷ ଇତ୍ୟାଦି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଏହିସବୁ କ୍ଷେତ୍ରରେ ନୂଆ ନୂଆ ଜ୍ଞାନ କୌଶଳର ଉପଯୋଗ କ୍ଷେତ୍ରରେ ଚାଷୀମାନଙ୍କର ଦକ୍ଷତା ବୃଦ୍ଧି କରାଯିବ । କୃଷି ସହିତ ସ୍ବାସ୍ଥ୍ୟ ଓ ପୁଷ୍ଟି ନିରାକରଣ, ଜୈବ ଇନ୍ଧନ ଆଦି କ୍ଷେତ୍ରରେ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯିବ ।
ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଅରୁଣ ସାହୁ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ । ନବରଙ୍ଗପୁରରେ ସାଂସଦ, ବିଧାୟକ ଓ ଚାଷୀମାନେ ଉପସ୍ଥିତ ଥିଲେ ।