ବିଜେଡ଼ି ସାଙ୍ଗଠନିକ ସ୍ତରରେ ହେବ ଅଦଳ ବଦଳ, ବବିଙ୍କୁ ମିଳିବ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ନିର୍ବାଚନରେ ବିଜେଡି ବାଜିମାତ କରିଛି । ଏହି ଫଳାଫଳ ପର ରଣନୀତି ଅନୁଯାୟୀ ଖୁବଶୀଘ୍ର ବିଜେଡିରେ ସାଙ୍ଗଠନିକ ସ୍ତରରେ ହେବ ଅଦଳବଦଳ । କାରଣ ଆଗକୁ ପୌର ଓ ମୁନିସପାଲଟି ନିର୍ବାଚନ ଥିବାରୁ ଦଳକୁ ମଜଭୁତ କରିବାକୁ ଯୁବ, ଛାତ୍ର ଏବଂ ସାଙ୍ଗଠନିକ ସ୍ତରରେ ଅଦଳବଦଳ ହେବାର ବିଶେଷ ସୂତ୍ରରୁ ଜଣାପଡ଼ିଛି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ମିଳିବ ସାଙ୍ଗଠନିକ ସ୍ତରର ଏକ ମୁଖ୍ୟ ଦାୟିତ୍ୱ ମିଳିବା ସର୍ବାଧିକ ସମ୍ଭାବନା ରହିଛି । ବବିଙ୍କୁ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଦାୟିତ୍ବ ଦିଆଯିବା ନେଇ ବିଜେଡି ଶିବିରରେ ଚର୍ଚ୍ଚା ଜୋର ଧରିଛି । ସେହିପରି ଅନୁପ ସାୟଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ଅଧ୍ୟକ୍ଷ, ନଳିନିକାନ୍ତ ପ୍ରଧାନଙ୍କୁ ରାସ୍ତା ଓ ଗୃହ ନିର୍ମାଣ ସମନ୍ଧିତ ଏକ ନିଗମ ଦାୟିତ୍ୱ ।
ଅପରପକ୍ଷରେ ଯୁବ ସଭାପତି ଦୌଡ଼ରେ ବ୍ୟୋମକେଶ ରାୟ, ସଞ୍ଜୀବ ମହାନ୍ତି, ଶିଶିର ପରିଜା, ଛାତ୍ର ସଭାପତି ପାଇଁ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନାଁ ଫାଇନାଲ ହୋଇଥିଲେ ମଧ୍ୟ ସମସ୍ତଙ୍କ ସହମତି ମିଳିପାରୁନାହିଁ । ଏଥର ମନ୍ତ୍ରୀ ମଣ୍ଡଳରେ ଅନେକ ବିଧାୟକ ପ୍ରଥମ ଥର ପାଇଁ ମନ୍ତ୍ରୀପଦ ପାଇଛନ୍ତି । ଯାହାକୁ ନେଇ କିଛି ବରିଷ୍ଠ ନେତା ଅସନ୍ତୁଷ୍ଟ ଥିବା ସମ୍ନାକୁ ଆସୁଛି । ମନ୍ତ୍ରିମଣ୍ଡଳରେ ଖାଲିଥିବା ଏକ ପଦ ଉପରେ ସମସ୍ତ ଅସନ୍ତୁଷ୍ଟ ବିଧାୟକଙ୍କ ନଜର ରହିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।