ମହିଳା, ନାବାଳିକା ସୁରକ୍ଷା ଓ ହିଂସା ରୋକିବାରେ ବିଫଳ ରାଜ୍ୟ ସରକାର

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ କଂଗ୍ରେସ, ବିଜେପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଦିନକୁ ଦିନ ନାବାଳିକା ଏବଂ ମହିଳାଙ୍କ ଉପରେ ହିଂସା ବଢୁଥିବା ବେଳେ ରାଜ୍ୟ ସରକାରଙ୍କ ଉଦାସୀନତା ଅଭିଯୁକ୍ତଙ୍କୁ ପ୍ରୋତ୍ସାହନ ଦେଉଛି । ଗତ ଶନିବାର ଅନୁଗୋଳର ୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରିବା ଓ ମୃତ ଭାବି ପୀଡ଼ିତାଙ୍କୁ ଅଳିଆଗଦାରେ ଫିଙ୍ଗିଦେବା ଭଳି ଘଟଣା ପ୍ରତିଦିନ ଘଟୁଛି । ସେହିପରି ଭବାନୀପାଟଣାରେ ରହୁଥିବା ଜଣେ ଏଚ୍‌ଆଇଭି ସଂକ୍ରମିତ ନାବାଳିକାଙ୍କୁ ଗୃହ ମୁଖ୍ୟ ଯୌନ ନିର୍ଯାତନା ଦେଉବା ଘଟଣା ମଧ୍ୟ ନଜରକୁ ଆସିଥିଲା । ତେବେ ଏ କ୍ଷେତ୍ରରେ ସରକାରଙ୍କ ଉଦାସୀନତା ହିଁ ସେମାନଙ୍କୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଏହି ଦୁଇ ଘଟଣାକୁ ବାଦ୍‌ ଦେଲେ ସରକାର ବାଳିକା ନିଖୋଜ ନେଇ ରଖିଥିବା ତଥ୍ୟ ମଧ୍ୟ ଉଦ୍‌ବେଗଜନକ ।

ଚଳିତ ବର୍ଷ ମାତ୍ର ୩ ମାସରେ ୫୦୨ ଝିଅ ନିଖୋଜ ହୋଇଛନ୍ତି । କିଛିଦିନ ପୂର୍ବେ ନିର୍ବାଚନ ସମୟରେ କେନ୍ଦ୍ରାପଡ଼ା ଜିଲାରେ ଗୁଳିକାଣ୍ଡ ଘଟିଥିଲା । ସେହିପରି ପୁରୀ ଜିଲା ପଟ୍ଟନାୟିକିଆରେ ହୋଇଥିଲା ଟ୍ରିପଲ ମର୍ଡର । ଏହିଭଳି କେତେକ ସ୍ପର୍ଶକାତର ପ୍ରସଙ୍ଗ ନେଇ ସୋମବାର ଶୂନ୍ୟକାଳ ଏବଂ ଦ୍ୱିତୀୟାର୍ଦ୍ଧରେ ଗୃହରେ ସରକାରଙ୍କୁ ଘେରିଥିଲେ ବିରୋଧୀ । ଏପରି କି ଶୂନ୍ୟକାଳରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଉଭୟ ବିଜେପି ଏବଂ କଂଗ୍ରେସ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଥିଲେ ।

ଏହି ଘଟଣାକୁ ନେଇ ବିଜେପି ସଦସ୍ୟମାନେ ବିଧାନସଭା ପରିସରରେ ଧାରଣାରେ ବସିଥିବା ବେଳେ କଂଗ୍ରେସ ସଦସ୍ୟମାନେ ଗାନ୍ଧୀ ମୂର୍ତ୍ତୀ ତଳେ ଧାରଣା ଦେଇଥିଲେ ।

Leave a comment