ରାଜ୍ୟର ସ୍ବାର୍ଥ ପାଇଁ ପୁରସ୍କୃତ ହେବେ ମଦ ବ୍ୟବସାୟୀ: ଅବକାରୀ ମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଧିକ ମଦ ବିକ୍ରି କଲେ ପୁରସ୍କୃତ ହେବେ ବ୍ୟବସାୟୀ । ବିଧାନସଭା ଅବକାରୀ ଗୃହ କମିଟିର ଏହି ନିଷ୍ପତିକୁ ନେଇ ବିବାଦ ବଢ଼ିଥିବା ବେଳେ ଏ ନେଇ ଆଜି ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ମଦ ବିକ୍ରିକୁ ନେଇ ଆଜି ବିଧାନସଭାରେ ଆଲୋଚନା ଜୋରଦାର ହୋଇଥିଲା । ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ଅବକାରୀ ମନ୍ତ୍ରୀ ପୂଜାରୀ କହିଛନ୍ତି, ସରକାର ଏଭଳି ନିଷ୍ପତ୍ତି ମଦର ପ୍ରଚାର ପ୍ରସାର ପାଇଁ ନେଇନାହାଁନ୍ତିି । ରାଜ୍ୟର ହିତକୁ ଧ୍ୟାନ ରଖି ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଯୁକ୍ତି ବାଢ଼ିଛନ୍ତି ପୂଜାରୀ । ମଦ୍ୟପାନ ଯୋଗୁଁ ଚୋରି, ରାହାଜାନୀ, ଲୁଟ ପାଟ ଘରୋଇ ହିଂସା ଆଦି ବୃଦ୍ଧି ପାଉଛି । ବିଶେଷ କରି ମହିଳାମାନେ ପ୍ରଭାବିତ ହେଉଛନ୍ତି । ତେବେ ଏକ ନିରପେକ୍ଷ କମିଟି ଗଠନ କରି ଅବକାରୀ ନୀତି ସମ୍ପର୍କରେ ନିଷ୍ପତି ନେବାକୁୁ ବିଧାନସଭାରେ ବିଧାୟକମାନେ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

ସୂଚନାଯୋଗ୍ୟ, ମଦ ପାଇଁ ସରକାର ପ୍ରୋତ୍ସାହନ ଯୋଗାଇଦେବେ ଅର୍ଥାତ ଟାର୍ଗେଟ୍ ପୂରଣ କଲେ ପୁରସ୍କାର ମିଳିବ ବୋଲି ଗତ ୧୨ ତାରିଖରେ ବିଧାନସଭା ଅବକାରୀ ଗୃହ କମିଟିର ନିଷ୍ପତି ନେଇଥିଲା । ଗୋଟିଏ ପଟେ ମଦ ବନ୍ଦ ନେଇ ସରକାର ଜୋର ଦେଉଥିବା ବେଳେ ଟାର୍ଗେଟ୍ ପୂରଣ କଲେ ପୁରସ୍କାର ମିଳିବା ନିଷ୍ପତିକୁ ନେଇ ଥିବାରୁ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଥିଲା ।

Leave a comment