ବିଜୟ ମହାପାତ୍ର କାହିଁକି ଗଲେ କେନ୍ଦ୍ରାପଡ଼ା କଲେଜ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରିଲା ପାଟକୁରା ନିର୍ବାଚନ । ଆସନ୍ତା ୨୪ରେ ହେବ ଗଣତି । ତେଣୁ ବର୍ତ୍ତମାନ ଇଭିଏମ ସୁରକ୍ଷା ଚିନ୍ତା । ନିର୍ବାଚନ ଦିନ ରାତିରେ ଇଭିଏମ୍ ଅଦଳବଦଳ ଅଭିଯୋଗକୁ ନେଇ ପାଟକୁରରେ ଉତ୍ତେଜନା ଦେଖାଦେଇଥିଲା । ଏହାକୁନେଇ ଇସିଆଇଙ୍କ ନିକଟରେ ଫେରାଦ ହେବ ବୋଲି କହିଛି ବିଜେପି । ଏହାମଧ୍ୟରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର କେନ୍ଦ୍ରାପଡା କଲେଜ ପରିଭ୍ରମଣ କରିଛନ୍ତି । କାରଣ କେନ୍ଦ୍ରାପଡ଼ା ଅଟନୋମସ୍ କଲେଜର ଷ୍ଟ୍ରଙ୍ଗରୁମ୍ରେ ରହିଛି ଇଭିଏମ୍ ।
ସୂଚନା ଅନୁଯାୟୀ, ନିର୍ବାଚନ ଦୁଇଦିନ ପୂର୍ବରୁ ଏକ ଅଡିଓ ଟେପ ସୋସିଆଲ ମିଡିଆରେ ଘୁରିବୁଲୁଥିଲା । ଅବଶ୍ୟ ସେ ଦୁଇଜଣ ବ୍ୟକ୍ତି କିଏ ତାହା ଜଣା ପଡିନଥିଲେ ମଧ୍ୟ ସେହି ଭାଇରଲ ଟେପ ଟି ପାଟକୁରାରେ ରାଜନୈତିକ ଉଷ୍ମତା ବଢ଼ାଇ ଦେଇଥିଲା । କାରଣ ସେହି ଭାଇରଲ ଟେପରେ ଇଭିଏମ ଅଦଳ ବଦଳ ନେଇ କିଛି ବର୍ତ୍ତାଳାପ ଥିଲା । ତେଣେ ସୁରକ୍ଷା ବ୍ୟବସ୍ଥା ଜାଣିବାକୁ ନିଜେ ବିଜୟ ମହାପାତ୍ର ଗତକାଲି ଇଭିଏମ୍ ରଖାଯାଇଥିବା କେନ୍ଦ୍ରାପଡ଼ା କଲେଜକୁ ଯାଇଥିଲେ । ସେଠାରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ଇଭିଏମ୍ ରଖାଯିବା ସହ ଭିତର ବାହାର, ସବୁ ଗତିବିଧିକୁ ଜଗିଛି ସିସିଟିଭି । ଇଭିଏମ୍ ସୁରକ୍ଷା ଉପରେ ତୀକ୍ଷ୍ମ ନଜର ସଶସ୍ତ୍ର ଯବାନ ରଖିଥିବା ବିଜୟ ଦେଖିବାକୁ ପାଇଥିଲେ ।
ନିର୍ବାଚନ ଦିନ ରାତିରେ ଷ୍ଟ୍ରଙ୍ଗରୁମ୍କୁ ଇଭିଏମ୍ ଓ ଭିଭିପାଟ ରଖିବା ପାଇଁ ପୋଲିଂ ଅଧିକାରୀ ପହଞ୍ଚିବା ପରେ ଭିଭିପାଟ ଖୋଲାଥିବା ଅଭିଯୋଗ କରି ସୃଷ୍ଟି ହୋଇଥିବା ଉତ୍ତେଜନା କମିଥିଲେ ମଧ୍ୟ ସନ୍ଦେହ ଦୂର ହୋଇନି । ତେଣୁ ଗତକାଲି ନିଜେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର କେନ୍ଦ୍ରାପଡ଼ା କଲେଜକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା କହିଛନ୍ତି ।