୨୪ରେ ଶପଥ ନେବେ ବିଶ୍ୱଭୂଷଣ ହରିଚନ୍ଦନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୨୪ ତାରିଖ ଦିନ ୧୧.୩୦ରେ ଓଡ଼ିଶାର ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ । ଆନ୍ଧ୍ର ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ହରିଚନ୍ଦନଙ୍କୁ ଶପଥ ପାଠ କରାଇବେ । ଶପଥ ଗ୍ରହଣ ଉତ୍ସବକୁ ନିରାଡ଼ମ୍ବର କରିବା ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌ ଜଗନମୋହନ ରେଡ୍ଡିଙ୍କୁ ଶ୍ରୀ ହରିଚନ୍ଦନ ଅନୁରୋଧ କରିଥିବା କହିଛନ୍ତି ।

ସୂଚନା ଅନୁଯାୟୀ, ବିଶ୍ୱଭୂଷଣ ହରିଚନ୍ଦନଙ୍କ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା ଦିନେ ପୂର୍ବରୁ ତିରୁମାଲା ତିରୁପତିଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ବାସଭବନକୁ ରାଜଭବନରେ ପରିଣତ କରିବାକୁ ଆନ୍ଧ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ବାସଭବନର ପ୍ରଥମ ମହଲାଟି ରାଜ୍ୟପାଳଙ୍କ ବାସଭବନ ଭାବେ ବ୍ୟବହୃତ ହେବାକୁ ଥିବାବେଳେ ଗ୍ରାଉଣ୍ଡଫ୍ଲୋରଟି ସରକାରୀ କାର୍ଯ୍ୟରେ ବ୍ୟବହୃତ ହେଉଛି । ତାଙ୍କ ନିଯୁକ୍ତି ପରେ ବର୍ତ୍ତମାନ ଆନ୍ଧ୍ର ଓ ତେଲେଙ୍ଗାନା ଦୁଇ ତେଲୁଗୁଭାଷୀ ରାଜ୍ୟର ଦାୟିତ୍ୱରେ ଥିବା ଇଏଲ୍‌ ନରସିହ୍ମା କେବଳ ତେଲେଙ୍ଗାନାର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇବେ ।

ସୂଚନା ଥାଉକି, ରାଷ୍ଟ୍ରପତି ଭବନ ପକ୍ଷରୁ ଗତ ମଙ୍ଗଳବାର ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତ କରିଥିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଶ୍ରୀ ହରିଚନ୍ଦନ ୫ ଥର ଚିଲିକା ଏବଂ ଭୁବନେଶ୍ୱରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ, ୨ ଥର ଜନତା ଦଳରୁ ଏବଂ ୩ ଥର ବିଜେପିରୁ ନିର୍ବାଚିତ ହୋଇଥିଲେ । ୧୯୮୦ରୁ ୧୯୮୮ ମସିହା ପର୍ଯ୍ୟନ୍ତ ବିଜେପିର ରାଜ୍ୟ ସଭାପତି ହୋଇଥିଲେ । ୨୦୦୪ ମସିହାରେ ବିଜେପି-ବିଜେଡି ମେଣ୍ଟ ସରକାରରେ ସେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ । ସେହିପରି ରାଜସ୍ୱ ଆଇନ, ଶିଳ୍ପ ଏବଂ ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ।

Leave a comment