ସାମ୍ବାଦିକଙ୍କୁ ହାତ ଉଠାଇବା ପରେ କ୍ଷମା ପ୍ରାର୍ଥନା କଲେ କେନ୍ଦ୍ରାପଡ଼ା ଏସ୍‌ପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ନିର୍ବାଚନକୁ ନେଇ କେନ୍ଦ୍ରାପଡା ସରଗରମ ଥିବାବେଳେ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର ଏକ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ହାତ ଉଠାଇବା ଘଟଣା ପରିସ୍ଥିତିକୁ ଅଣାୟତ କରିଥିଲା । ସବୁ ମହଲରେ ଏହାର ନିନ୍ଦା କରାଯିବା ପରେ କେନ୍ଦ୍ରାପଡ଼ା ଏସ୍‌ପି କ୍ଷମା ପ୍ରାର୍ଥନା କରିଛନ୍ତି । ଶ୍ରୀ ଶେଖର କହିଛନ୍ତି, ଗତକାଲି ଅଧିକ ଭିଡ଼ ହୋଇଥିବାରୁ ନିୟନ୍ତ୍ରଣ କରିବାକୁ ଯାଇ ଉଚ୍ଚ ଗଳାରେ କଥା ହୋଇଥିଲି । ମୁଁ କୌଣସି ଉଦ୍ଦେଶ୍ୟ ମୂଳକ ଭାବେ ଏପରି କରିନଥିଲି । ସେ ଆହୁରି ମଧ୍ୟ କହିଥିଲେ, ମୁଁ ସାମ୍ବାଦିକଙ୍କୁ ଯଥେଷ୍ଟ ସମ୍ମାନ ଦିଏ । କେବେ ସାମ୍ବାଦିକଙ୍କୁ ଖରାପ ବ୍ୟବହାର କରିନାହିଁ । କେନ୍ଦ୍ରାପଡ଼ାର ସ୍ଥାନୀୟ ସାମ୍ବାଦିକମାନେ ମୋତେ ଭଲଭାବେ ଜାଣନ୍ତି । ଯଦି ମୋ ବ୍ୟବହାରରେ କାହାକୁ ଆଘାତ ହୋଇଥାଏ ତେବେ ମୁଁ କ୍ଷମା ପ୍ରାର୍ଥନା କରୁଛି ବୋଲି ଏସପି କହିଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ପାଟକୁରା ନିର୍ବାଚନର ରିପୋର୍ଟିଂ ପାଇଁ ଏକ ଓଡ଼ିଆ ନ୍ୟୁଜ ଚ୍ୟାନେଲର ଜନୈକ ପ୍ରତିନିଧି ଯାଇଥିଲେ । ସେଠାରେ କେନ୍ଦ୍ରାପଡ଼ା ଏସପି ନୀତି ଶେଖର ତାଙ୍କୁ ଦୁର୍ବ୍ୟବହାର କରିବା ସହ ହାତ ଉଠାଇଥିବା ଅଭିଯୋଗ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର ବେଳେ ଖବର ସଂଗ୍ରହ ସମୟରେ ସାମ୍ବାଦିକ ଜଣକ ପୁଲିସ ଆକ୍ରୋଶର ଶିକାର ହୋଇଥିଲେ । ଏଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇ ଘୁରିବୁଲୁଛି । ଏହି ଘଟଣାକୁ ବିଭିନ୍ନ ସାମ୍ବାଦିକ ସଂଘ ତରଫରୁ ନିନ୍ଦା କରାଯିବ ସହ କଳିଙ୍ଗ ସାମ୍ବାଦିକ ସଂଘ ତରଫରୁ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଶାନ୍ତିପୂର୍ଣ୍ଣ ଭାବେ ଏହାର ବିରୋଧ କରାଯାଇଛି ।

Leave a comment