ପାଟକୁରାରେ ବିଜେଡି ଆଚରଣ ବିଧି ଉଲଙ୍ଘନ କରୁଥିବା ଅଭିଯୋଗ ଆଣିଲା ବିଜେପି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ନିର୍ବାଚନକୁ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ ବିଜେଡି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ ଆଣିଛି ବିଜେପି । ପାଟକୁରାର ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ସମେତ ଶାସକ ଦଳ ବିଧାୟକମାନେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି । ନିର୍ବାଚନ ଅଧିକାରୀମାନେ ଆଖିବୁଜି ଶାସକ ଦଳର ବେଆଇନ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେଉଥିବା ନେଇ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।
ବିଜେପି ଅଭିଯୋଗ କରିଛି ଯେ, ପାଟକୁରାରେ ବହୁ ସଂଖ୍ୟାର ପୋଲିସ କର୍ମଚାରୀ ସାଦା ପୋଷାକ ପିନ୍ଧି ବିଜେଡି ପାଇଁ ପ୍ରଚାର କରିବା ସହ ସବୁ ପଞ୍ଚାୟତ ଓ ବୁଥ୍ରେ ଭୋଟରଙ୍କୁ ଟଙ୍କା ବାଣ୍ଟୁଛନ୍ତି । ବିଡିଓ, ତହସିଲଦାର ଏବଂ ଥାନା ଅଧିକାରୀମାନେ ଭୋଟରଙ୍କୁ ଟଙ୍କା ବଣ୍ଟାରେ ଶାସକ ଦଳକୁ ସାହାଯ୍ୟ କରୁଛନ୍ତି । ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପ୍ରତ୍ୟେକ ମାସ ୭ରୁ ୧୫ ତାରିଖରେ ମିଳିବା କଥା । କିନ୍ତୁ ପାଟକୁରାରେ ସ୍ଥାନୀୟ ପ୍ରଶାସନ ଏହାକୁ ୧୫ରେ ଦେବା ବଦଳରେ ନିର୍ବାଚନୀ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଦେବାର ଚକ୍ରାନ୍ତ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ନିର୍ବାଚନୀ ବ୍ୟବସ୍ଥାରେ ଥିବା ଅଧିକାରୀମାନେ ବିଜେପି ସଭା ଏବଂ ରୋଡ୍ ଶୋ’ରେ ବାଧା ସୃଷ୍ଟି କରୁଛନ୍ତି । ବିଜେଡି ପ୍ରାର୍ଥୀ ଟଙ୍କା ବାଣ୍ଟୁଥିବାବେଳର ଭିଡିଓ ଭାଇରାଲ ହେଲାପରେ ମଧ୍ୟ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ବିଜେପି ସିଇଓଙ୍କୁ ଭେଟି ଅଭିଯୋଗ କରିଛି ।