ପାଟକୁରାରେ ପ୍ରଚାର ଆରମ୍ଭ କଲେ ନବୀନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରୁଥିବା ପାଟକୁରା ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି । ଏଥିଯୋଗୁ ୩ ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଓ ଭାଜପାର ରାଜ୍ୟ ନେତୃବୃନ୍ଦ ସବୁ ପ୍ରକାର କଳକୌଶଳ ଲଗାଇଦେଇଛନ୍ତି । ବିଜେଡି ଓ ବିଜେପିର ବହୁ ବରିଷ୍ଠ ନେତା ପ୍ରଚାର ମଙ୍ଗ ଧରିଥିବା ବେଳେ କଂଗ୍ରେସ ବି ଏଥିରେ ସାମିଲ ହୋଇଛି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାଟକୁରା ନିର୍ବାଚନୀମଣ୍ଡଳୀ ଗସ୍ତ କରି ଦଳୀୟ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ସେ ଡେରାବିଶ ବ୍ଲକ ବାରିମୂଳ ପଡିଆଠାରେ ଓହ୍ଲାଇବା ପରେ ସେଠାରୁ ହାଇଟେକ୍ ବସରେ ଡେରାବିଶ ଅଞ୍ଚଳରେ ପ୍ରଚାର ଚଳାଇଛନ୍ତି । ଅପରାହ୍ନ ୧୨ଟା ୪୫ରୁ ୧ଟା୪୫ ପର୍ଯ୍ୟନ୍ତ ଜଣ୍ଟିଲେ ଆଇବିରେ ରହିବା ପରେ ଗରଦପୁର ବ୍ଲକର ନୂଆପଡାକୁ ଯାଇଥିଲେ । ସେଠାରୁ ବେଡାରି, ପାଟକୁରା, ଗରଦପୁର, କଳାବୁଦା, କୋରୁଆ, ମାହାଳ, ନଡିଆ ବରେଇ ଛକ ଓ କୁନ୍ଦାଳଠାରେ ସାବିତ୍ରୀଙ୍କ ପାଇଁ ପ୍ରଚାର କରିବେ । ସେହିପରି ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବନ୍ଧକଟା, ପେଣ୍ଠ, କୁଳସାହି, ଜମପଡା, କରିଲୋପାଟଣା ଆଦି ସ୍ଥାନକୁ ଯାଇ ପ୍ରଚାର କରିବା ଲାଗି କାର୍ଯ୍ୟକ୍ରମ ରହିଛି ।
ଅପରପକ୍ଷେ ତିନିମୁହାଣି ଛକରେ ବାବୁଲିଙ୍କୁ ଗୁଳିମାଡ଼ ଘଟଣାରେ କେନ୍ଦ୍ରାପଡା ଜିଲାରେ ବିଭିନ୍ନ ସଂଗଠନ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଜିଲା ବନ୍ଦ ଡାକରା ଦିଆଯାଇଛି । ତେବେ ଉଭୟ କାର୍ଯ୍ୟକ୍ରମ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।