ବନ୍ୟା ଯୋଗୁ ଆସାମରେ ସ୍ଥିତି ସଙ୍ଗୀନ, ପାଣି ଘେରରେ ୧୫ ଲକ୍ଷରୁ ଉର୍ଦ୍ଧ ଲୋକ, ବୁଡ଼ିଗଲା କାଜିରଙ୍ଗା ଜାତୀୟ ଉଦ୍ୟାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସାମରେ ବନ୍ୟା ଯୋଗୁ ସଙ୍ଗୀନ ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଯୋଗୁ ଜନଜୀବନ ପ୍ରଭାବିତ ହେବା‌ ସହ ଜୀବଜନ୍ତୁ ମାନେ ମଧ୍ୟ ‌ପ୍ରଭାବିତ ହୋଇଛନ୍ତି । ରାଜ୍ୟର ୩୩ ଜିଲା ମଧ୍ୟରୁ ୨୫ଟି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ବାରପେଟା ଜିଲାରେ ସର୍ବାଧିକ ୫ ଲକ୍ଷ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି । ଏ ପର୍ଯ୍ୟନ୍ତ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି । ଭୂସ୍ଖଳନ ଯୋଗୁ ଗୋଲାଘାଟରେ ୨ ଏବଂ ହାଫ୍‌ଲଙ୍ଗ୍‌ରେ ଜଣେ ପ୍ରାଣ ହରାଇବା ଫଳରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟ ରେ ଏନ୍‌ଡିଆର୍‌ଏଫ ସମେତ ସେନା ମଧ୍ୟ ନିୟୋଜିତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ୨୦,୦୦୦ ଲୋକଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ରିଲିଫ କେନ୍ଦ୍ରରେ ରଖାଯାଇଛି । ଏବେ ମଧ୍ୟ ବ୍ରହ୍ମପୁତ୍ର ଓ ଅନ୍ୟ ୫ଟି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଚା’ଚାଷ ବହୁଳ ଅଞ୍ଚଳ ଧେମାଜି ଓ ଲକ୍ଷ୍ମୀପୁର ସମେତ ବୋଙ୍ଗାଇଗାଓଁ ଏବଂ ବାରପେଟା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ୮୫ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଘର ଭାଙ୍ଗିଥିବା ବେଳେ ୨୭,୦୦୦ ହେକ୍ଟରରୁ ଅଧିକ ଚାଷଜମି ଜଳମଗ୍ନ ହୋଇଛି ।

ସେହିପରି କାଜିରଙ୍ଗା ଜାତୀୟ ଉଦ୍ୟାନର ପାଖାପାଖି ୭୦ ଭାଗ ବୁଡି ଯାଇଥିବାରୁ ଏଠାରେ ଥିବା ଜୀବଜନ୍ତୁ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଥିବା ଦେଖାଯାଇଛି । ବିଶେଷ କରି ଏଠାକାର ଗୋଟିଏ ଶିଙ୍ଗ ଥିବା ଗଣ୍ଡା, ବାଘ ଓ ହାତୀ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି । ଏହି ସମୟରେ ଉଦ୍ୟାନ ଦାୟିତ୍ୱରେ ଥିବା ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

Leave a comment