ଜମାହେଲା ମନ୍ତ୍ରୀଙ୍କ ମାସିକିଆ ରିପୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷାକୁ ଅପେକ୍ଷା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସରେ ସମସ୍ତ ମନ୍ତ୍ରୀଙ୍କୁ ପ୍ରତ୍ୟେକ ମାସ ୭ ତାରିଖ ପୂର୍ବରୁ ନିଜ ବିଭାଗର ସମୀକ୍ଷା ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମନ୍ତ୍ରୀମାନେ ନିଜ ବିଭାଗର ସମୀକ୍ଷା ରିପୋର୍ଟ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମସ୍ତ ମନ୍ତ୍ରୀ ନିଜ ବିଭାଗର କାର୍ଯ୍ୟର ସମୀକ୍ଷା ରିପୋର୍ଟ ଦାଖଲ କରିଛନ୍ତି ।
ସୂଚନା ଅନୁଯାୟୀ, ଗତ ୨ରୁ ୩ ଦିନ ମଧ୍ୟରେ ୬ ଜଣ ମନ୍ତ୍ରୀ ନିଜ ନିଜର ସମୀକ୍ଷା ରିପୋର୍ଟ ପ୍ରଦାନ କରିଥିବା ବେଳେ ଅନ୍ୟମାନେ ଦିନକ ପୂର୍ବରୁ ରିପୋର୍ଟ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହିସବୁ ରିପୋର୍ଟର ଯାଞ୍ଚ କରିବେ । ଏବଂ ବିଭାଗୀୟ ମନ୍ତ୍ରୀ ଏବଂ ଅଫିସରଙ୍କୁ ଡକାଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ ବୋଲି ଶୁଣିବାକୁ ମିଳିଛି ।
ବିଜେଡି ନିର୍ବାଚନ ପୂର୍ବରୁ ଇସ୍ତାହାରରେ ଯେଉଁସବୁ ପ୍ରତିଶ୍ରୁତି ପୂରଣ କରିବା ପାଇଁ ଲୋକଙ୍କୁ କହିଥିଲା, ସେସବୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ପ୍ରତି ମାସ ୭ ତାରିଖ ପୂର୍ବରୁ ନିଜ ନିଜ ବିଭାଗର ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମଧ୍ୟ ନିଜ ବିଭାଗରେ ନେଇଥିବା ନୂଆ ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପରୀକ୍ଷା ଓ ପାସ୍ ଫେଲ ବ୍ୟବସ୍ଥା ସହ ଇଂରାଜୀ ଶିକ୍ଷକ ନିଯୁକ୍ତି ନେଇ ବିଭାଗ ତତ୍ପରତା ପ୍ରକାଶ କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ମନ୍ତ୍ରୀମାନେ ଏଯାଏ ଚାମ୍ବର ପାଇ ନଥିବା ବେଳେ କି ରିପୋର୍ଟ କାର୍ଡ ଦେବେ ବୋଲି କହି କଂଗ୍ରେସ ଉପହାସ କରିଛି ।