ଲୋକାର୍ପିତ ହେଲା ଶ୍ରୀମନ୍ଦିର ସ୍ୱତନ୍ତ୍ର ୱେବ ପୋର୍ଟାଲ ଓଡ଼ିଆ, ବଙ୍ଗଳା, ହିନ୍ଦୀ ଓ ଇଂରାଜୀ ଭାଷାରେ ସୂଚନା ପାଇବେ ଭକ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୪ ତାରିଖରେ ପବିତ୍ର ରଥଯାତ୍ରା । ଏହା ପୂର୍ବରୁ ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ସ୍ୱତନ୍ତ୍ର ୱେବ ପୋର୍ଟାଲ shreejagannath.in । ଶ୍ରୀନହର ପରିସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହାକୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ମହାପ୍ରଭୁଙ୍କ ପବିତ୍ର ନବଯୌବନ ଦର୍ଶନ ସମୟରେ ଶ୍ରୀମନ୍ଦିରର ନୂତନ ଅଫିସିଆଲ ୱେବ୍ସାଇଟ୍ ଉନ୍ମୋଚିତ ହୋଇଛି । ଏଥିରେ ଜଗନ୍ନାଥ ସଂସ୍କୃତି, ନୀତି, ଇତିହାସ ବେଶ ଓ ପରମ୍ପରା ସମ୍ପର୍କରେ ସର୍ବସାଧାରଣଙ୍କୁ ସୂଚନା ମିଳିବ । ଏହି ଓ୍ବେବସାଇଟରେ ଓଡ଼ିଆ, ବଙ୍ଗଳା, ହିନ୍ଦୀ ଓ ଇଂରାଜୀ ଭାଷାରେ ଭକ୍ତମାନେ ସୂଚନା ପାଇ ପାରିବେ । ଏହି ପୋର୍ଟାଲ ମାଧ୍ୟମରେ ଜନସାଧାରଣ ଭକ୍ତ ନିବାସ ବୁକିଂ କରିବା ସହ ଅନଲାଇନରେ ବିବାହ କାର୍ଡ ନିମନ୍ତ୍ରଣ ମଧ୍ୟ ପଠାଇ ପାରିବେ । ଏହି ଓ୍ବେବସାଇଟ ଉଦଘାଟନ ସମୟରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଏଡିଜି ସଂଜୀବ ପଣ୍ଡା, ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସେବାୟତମାନେ ଉପସ୍ଥିତଥିଲେ ।
ସୂଚନାଯୋଗ୍ୟ, ୧୫ ଦିନ ଅନବସର ଘରେ ରହିବା ପରେ ମଙ୍ଗଳବାର ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ନବଯୌବନ ରୂପରେ ଦର୍ଶନ ଦେଇଥିଲେ । ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।