ଘରୋଇ ହସ୍ପିଟାଲରେ ରୋଗୀ ଶୋଷଣ ନେଇ ବିଧାନସଭାରେ ଉଦ୍‌ବେଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘରୋଇ ହସ୍ପିଟାଲରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ହଇରାଣ କରାଯାଉଥିବା ନେଇ ଗତକାଲି ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି । ଏ ନେଇ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖନ୍ତୁ ବୋଲି ବିରୋଧୀ ଦଳ ସଦସ୍ୟମାନେ ଦାବି କରିଥିଲେ । ଭୁବନେଶ୍ୱରରେ ଥିବା ଘରୋଇ ହସ୍ପିଟାଲ କଳିଙ୍ଗ, ଆପୋଲୋ, ସମ ଭଳି ଘରୋଇ ହସ୍ପିଟାଲରେ ରୋଗୀମାନେ ନିର୍ଯାତନାର ଶିକାର ହେଉଛନ୍ତି । ଏହି ହସ୍ପିଟାଲଗୁଡ଼ିକ ସରକାରଙ୍କଠାରୁ ବିନାମୂଲ୍ୟରେ ଜମି ନେଇ ହସ୍ପିଟାଲ କରିଥିବା ବେଳେ ଜଣେ ହେଲେ ଗରିବ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସେବା ଦେଉ ନାହାନ୍ତି । ଚୁକ୍ତି ଅନୁଯାୟୀ ୨୫ ପ୍ରତିଶତ ଗରିବ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା କଥା । ହେଲେ ଜଣେ ବି ଗରିବ ରୋଗୀ ଏହି ସୁବିଧା ପାଉନାହାନ୍ତି । ଘରୋଇ ହସ୍ପିଟାଲଗୁଡିକ ରୋଗୀସେବା ନାଁରେ ଲୋକଙ୍କୁ ଶୋଷଣ କରୁଛନ୍ତି । ତୁରନ୍ତ ଏଥିପାଇଁ ଏକ କମିଟି ଗଠନ କରାଯାଇ ହସ୍ପିଟାଲର ତଦନ୍ତ କରାଯାଉ ବୋଲି ବିରୋଧୀ ଦଳ ପକ୍ଷରୁ ଦାବି ହୋଇଛି ।

ଏହି ଅବସରରେ ବିଧାୟକ ମୋହନ ମାଝି କଳିଙ୍ଗ ହସ୍ପିଟାଲରେ ରୋଗୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ଆଣିଥିଲେ । ସେ କହିଥିଲେ, କେନ୍ଦୁଝରର ଜନୈକ ଯୁବକଙ୍କ ମୃତ୍ୟୁ ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ମୃତଦେହ ନ ଛାଡ଼ି ଟଙ୍କା ଦାବି କରିଥିଲେ । ତେବେ ସେ ଏ ନେଇ ମଡିକାଲ କର୍ତ୍ତୃପକ୍ଷଙ୍କ ସହ କଥା ହେବାରୁ ଏହା ବିଧାନସଭା ନୁହେଁ ବୋଲି କହିବା ସହ ଟଙ୍କା ନଦେବା ପର୍ଯ୍ୟନ୍ତ ମୃତଦେହ ନେଇ ପାରିବେ ନାହିଁ ବୋଲି ମନା କରିଦେଇଥିବା ବିଧାୟକ ମାଝି କହିଥିଲେ । ତୁରନ୍ତ ଏହି ଘରୋଇ ହସ୍ପିଟାଲଗୁଡ଼ିକର ତଦନ୍ତ କରାଯାଇ ଏମାନେ ୨୫ ପ୍ରତିଶତ ଗରିବ ରୋଗୀଙ୍କ ମାଗଣା ସେବା କରୁଛନ୍ତି କି ନାହିଁ ସେ ନେଇ ତଦନ୍ତ କରାଯିବା ଆବଶ୍ୟକ ବୋଲି ବିରୋଧୀ ଦଳ ଦାବି କରିଛି।

Leave a comment