ଡାକ୍ତର ଅଶ୍ୱିନୀ ଛାଡିଲେ କଂଗ୍ରେସର ହାତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁଶୁଡ଼ିବାରେ ଲାଗିଛି କଂଗ୍ରେସର ଦୁର୍ଗ । ଚଳିତ ନିର୍ବାଚନ ପୂର୍ବରୁ ରାଜ୍ୟର ଅନେକ ନେତା କଂଗ୍ରେସର ହାତ ଛାଡିଥିବା ବେଳେ ନିର୍ବାଚନ ପରେ ମଧ୍ୟ ତାହା ଥମିବାର ନାଁ ନେଉନାହିଁ । ଚଳିତ ନିର୍ବାଚନରେ ସମ୍ବଲପୁରରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଥିବା ଭିମ୍ସାରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ କଂଗ୍ରେସର ହାତ ଛାଡିଛନ୍ତି । ଡାକ୍ତର ଅଶ୍ୱିନୀ ନିଜ ଇସ୍ତଫା ପତ୍ର ଏଆଇସିସି ସଭାପତି ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଠାଇ ଦେଇଛନ୍ତି । ତାଙ୍କୁ କଂଗ୍ରେସ କର୍ମୀ ଦୁର୍ବ୍ୟବହାର କରିଥିବାରୁ ସେ ଦଳ ଛାଡିଥିବା ଏହି ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ।
ସୂଚନା ଅନୁଯାୟୀ, ଚଳିତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟର ସମୀକ୍ଷା ବୈଠକ ଗତ ୨୬ତାରିଖରେ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରୁ କୌଣସି ନିଷ୍କର୍ଷ ବାହାରି ନଥିଲା । ଏହି ବୈଠକ ସମୟରେ କିଛି କଂଗ୍ରେସ କର୍ମୀ ଡାକ୍ତର ଅଶ୍ୱିନୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ସେ ଅଭିଯୋଗ କରିଥିଲେ ।
ଡାକ୍ତର ଅଶ୍ୱିନୀ ପୂଜାହାରୀ କହିବା ଅନୁଯାୟୀ, “ ଗତ ୨୬ ତାରିଖରେ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ କଂଗ୍ରେସ କର୍ମୀମାନେ ତାଙ୍କୁ ଗାଳି ଗୁଲଜ କରିଥିଲେ । ଏହି ବୈଠକରେ ଜର୍ଜ ତିର୍କୀ ଉପସ୍ଥିତ ଥିଲେ । ତାଙ୍କ ସାମ୍ନାରେ ସମସ୍ତ କଂଗ୍ରେସ କର୍ମୀ ମୋତେ ଏମିତି କଥା କହିଲେ ଯେ ମୁଁ ଭାବିଲି ଏମିତି ସ୍ଥିତିରେ କଂଗ୍ରେସରେ ରହି କିଛି ଲାଭ ହେବନି ।”
ଚଳିତ ନିର୍ବାଚନ ପୂର୍ବରୁ ଡାକ୍ତର ଅଶ୍ୱିନୀ କଂଗ୍ରେସରେ ଯୋଗଦେଇଥିଲେ । ସେ ସମ୍ବଲପୁରରୁ ବିଧାୟକ ଭାବେ ଲଢ଼ି ୧୧,୬୫୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।