ଭିଜିଲାନ୍ସ ଜାଲରେ ଫୁଲବାଣୀ ପୌରପାଳିକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଅନୁଗୋଳ ଜିଲ୍ଲା ଟାପଢ଼ୋଲ ଫାଣ୍ଡି ଏଏସ୍ଆଇ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜ୍ୟର ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଫୁଲବାଣୀରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓ ଅନୁଗୋଳ ଜିଲ୍ଲା ଟାପଢ଼ୋଲ ଫାଣ୍ଡି ଏଏସ୍ଆଇଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି ।
ସୂଚନା ଅନୁଯାୟୀ, ଫୁଲବାଣୀ ପୌରପାଳିକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଧାମୋହନ ବେହେରାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନ ଯଥା ପୌରପାଳିକା କାର୍ଯ୍ୟାଳୟ, ସରକାରୀ ବାସଭବନ, ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟାରତ ଜଣେ କର୍ମଚାରୀଙ୍କ ଘର, ବ୍ରହ୍ମପୁରରେ ଥିବା ତାଙ୍କ ନିଜ ଘର ଓ ସୁରୁଗୁରି ସ୍ଥିତ ଶ୍ୱଶୁର ଘରେ ଚଢ଼ଉ ଜାରି ରଖିଛି ବ୍ରହ୍ମପୁରର ଭିଜିଲାନ୍ସ ଟିମ୍ । ପାରଳାଖେମୁଣ୍ଡି ଭିଜିଲାନ୍ସ ଡିଏସ୍ପି ଅରୁଣ ନାୟକଙ୍କ କହିବା ମୁତାବକ ରାଧାମୋହନଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ବ୍ରହ୍ମପୁର ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶ ଅନୁଯାୟୀ ୫ଟି ସ୍ଥାନରେ ଚଢ଼ଉ କରାଯାଇଛି । ରାଧାମୋହନଙ୍କ ଫୁଲବାଣୀ ବାସଭବନରୁ ଏକ ଦାମୀ କାର୍, ୧୮ ହଜାର ଟଙ୍କା ଓ କିଛି କାଗଜପତ୍ର ମିଳିଥିବା ସୂଚନା ଦେଇଛନ୍ତି ଡିଏସ୍ପି ଅରୁଣ ନାୟକ ।
ସେହିପରି ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଅନୁଗୋଳ ଜିଲ୍ଲା ଟାପଢ଼ୋଲ ଫାଣ୍ଡି ଏଏସ୍ଆଇ ଗଜେନ୍ଦ୍ର ବେହେରା। କନ୍ତପଡ଼ା ଗାଁର ଜଗନ୍ନାଥ ବେହେରା ଓ ତାଙ୍କ ପୁଅଙ୍କ ନାଁରେ ଏକ ମାରପିଟ୍ ମାମଲା ଥିଲା । ଏହି ମାମଲାରେ ଦଫା କମ କରିବା ପାଇଁ ଓ ଜଗନ୍ନାଥଙ୍କ ପୁଅର ନାମକୁ ମାମଲାରୁ ବାଦ୍ ଦେବା ପାଇଁ ଏଏସ୍ଆଇ ଗଜେନ୍ଦ୍ର ବେହେରା ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଜଗନ୍ନାଥ ଭିଜିଲାନ୍ସ ବିଭାଗରେ ଏହାକୁ ନେଇ ଅଭିଯୋଗ କରିଥିଲେ।
ଅନୁଗୋଳ ଓ କଟକ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ ଆଜି ସକାଳ ପ୍ରାୟ ୯ଟା ୩୦ ମିନିଟ ବେଳେ ଗଜେନ୍ଦ୍ର ଫାଣ୍ଡିରେ ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଗିରଫ କରି ଅନୁଗୋଳ ଦୁର୍ନୀତି ନିବାରଣ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ । ସେଠାରେ ତାଙ୍କୁ ଜେରା କରାଯାଉଛି ।