ଗୋଟିଏ ଦେଶ ଏକ ନିର୍ବାଚନକୁ ସମର୍ଥନ କଲା ବିଜେଡି, କଂଗ୍ରେସ ସମେତ ୭ ଦଳର ବିରୋଧ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ ଲୋକସଭା ଓ ବିଧାନସଭା ଗୁଡ଼ିକର ଏକକାଳୀନ ନିର୍ବାଚନ ପ୍ରସ୍ତାବକୁ ବିଜେଡି ସମର୍ଥନ କରିଛି । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ‘ଗୋଟିଏ ଦେଶ ଏକ ନିର୍ବାଚନ’ ପାଇଁ ଦଳର ସମର୍ଥନ ଘୋଷଣା କରିଛନ୍ତି। ପାର୍ଲାମେଣ୍ଟ ହାଉସ୍ରେ ଆୟୋଜିତ ବୈଠକରେ ନବୀନ କହିଛନ୍ତି, ବାରମ୍ବାର ନିର୍ବାଚନ କରାଯିବା ଦ୍ୱାରା ବିକାଶର ଗତି ଏବଂ ସଂଘୀୟ ସହଯୋଗିତା ପ୍ରଭାବିତ ହେଉଛି। ତେଣୁ ଲୋକସଭା ନିର୍ବାଚନ ସହିତ ରାଜ୍ୟ ବିଧାନସଭାଗୁଡ଼ିକର ଭୋଟ କରାଯିବା ଦରକାର । ସେହିପରି ପାର୍ଲାମେଣ୍ଟ ଓ ବିଧାନସଭା ଗୁଡ଼ିକରେ ମହିଳାଙ୍କ ପାଇଁ ସଂରକ୍ଷଣ କାର୍ଯ୍ୟକାରୀ କରାଯିବା ଉଚିତ । ଏହାକୁ ବିଜେଡି ସମର୍ଥନ କରିବ । ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ମଧ୍ୟ ନବୀନ ଦାବି କରିଛନ୍ତି ।
ସର୍ବଦଳୀୟ ବୈଠକରେ ବିଜେଡି ସମେତ ଅକାଳୀ ଦଳର ସୁଖବୀର ସିଂ ବାଦଲ, ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର, ଜେଡିୟୁ ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ଜଗନ୍ମୋହନ ରେଡ୍ଡୀ, ସିପିଆଇର ଡି. ରାଜା ଏବଂ ଏସ୍. ସୁଧାକର ରେଡ୍ଡୀ, ସିପିଆଇଏମ୍ର ସୀତାରାମ ୟେଚୁରୀ, ଟିଆର୍ଏସ୍ କାର୍ଯ୍ୟକାରୀ ଅଧ୍ୟକ୍ଷ କେ.ଟି ରାମାରାଓ, ନ୍ୟାଶନାଲ କନ୍ଫରେନ୍ସ ନେତା ଫାରୁକ୍ ଅବ୍ଦୁଲ୍ଲା ଓ ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍ତି ଯୋଗଦେଇଥିଲେ । ଅନ୍ୟପକ୍ଷରେ କଂଗ୍ରେସ, ଆମ୍ ଆଦ୍ମୀ ପାର୍ଟି, ବହୁଜନ ସମାଜ ପାର୍ଟି, ସମାଜବାଦୀ ପାର୍ଟି, ଡିଏମ୍କେ, ତୃଣମୂଳ କଂଗ୍ରେସ, ତେଲୁଗୁ ଦେଶମ୍ ପାର୍ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ ଏହି ବୈଠକକୁ ବର୍ଜନ କରିଛନ୍ତି।