ନଇଁଲେ ମମତା, ଆନ୍ଦୋଳନରତ ଡାକ୍ତରଙ୍କ ସବୁ ଦାବି ମାନିଲେ ପଶ୍ଚିମବଙ୍ଗ ସରକାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗରେ ଆନ୍ଦୋଳନରତ ଡାକ୍ତର ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭିତରେ ବସିଥିବା ବୈଠକ ସଫଳ ହୋଇଛି । ମମତା ଆନ୍ଦୋଳନରତ ଡାକ୍ତରଙ୍କ ସମସ୍ତ ଦାବି ମାନି ନେଇଥିବା ଜଣାପଡିଛି । ଡାକ୍ତରଙ୍କ ଦାବି ଅନୁଯାୟୀ :
*ସରକାରୀ ହସ୍ପିଟାଲଗୁଡିକରେ ଅଭିଯୋଗ ନିବାରଣ ସେଲ ତିଆରି କରିବା
*ସବୁ ହସ୍ପିଟାଲରେ ଏକ ନୋଡାଲ ପୋଲିସ ଅଧିକାରୀ ମୁତୟନ କରିବା
ଦାବିରେ ମମତା ରାଜି ହୋଇଛନ୍ତି। ତୁରନ୍ତ ସବୁ ମେଡିକାଲରେ ନୋଡାଲ ପୋଲିସ ଅଧିକାରୀ ମୁତୟନ କରିବାକୁ କୋଲକାତା ପୋଲିସ କମିଶନରଙ୍କୁ ମମତା ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକ ଗଣମାଧ୍ୟମ ଉପସ୍ଥିତିରେ ହୋଇଥିଲା । ପ୍ରତ୍ୟେକ ମେଡିକାଲ କଲେଜରୁ ୨ଜଣିଆ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ଏହି ବୈଠକରେ ସାମିଲ ହୋଇଥିଲେ । ଅନ୍ୟପଟେ ଦେଶରେ ଡାକ୍ତରଙ୍କ ସୁରକ୍ଷା ଓ ନିରାପତ୍ତା ସଂକ୍ରାନ୍ତରେ ଆସନ୍ତାକାଲି ସୁପ୍ରିମକୋର୍ଟ ଶୁଣାଣି କରିବେ । ବିଚାରପତି ଜଷ୍ଟିସ ଦୀପକ ଗୁପ୍ତା ଏବଂ ସୂର୍ଯ୍ୟ କାନ୍ତ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ପଶ୍ଚିମବଙ୍ଗର ନୀଲରତନ ମେଡିକାଲ କଲେଜର ଜଣେ ଡାକ୍ତର ରୋଗୀଙ୍କ ସମ୍ପର୍କୀୟମାନଙ୍କର ଆକ୍ରମଣର ଶିକାର ହୋଇଥିଲେ । ଏହାପରେ ସୁରକ୍ଷା ଏବଂ ନିରାପତ୍ତା ଦାବି କରି କୋଲକାତାର ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏବେ ଏହି ଆନ୍ଦୋଳନ ସାରା ଦେଶକୁ ବ୍ୟାପିଛି । ଗତକାଲି ପଶ୍ଚିମବଙ୍ଗରେ ଆନ୍ଦୋଳନରତ ଡାକ୍ତରଙ୍କ ଡାକରାକୁ ସମର୍ଥନ ଜଣାଇ ସାରାଦେଶର ଡାକ୍ତରମାନେ ୨୪ଘଣ୍ଟିଆ କାର୍ଯ୍ୟବନ୍ଦ କରିଥିଲେ ।