ସରକାରୀ ବାବୁଙ୍କ ଘର ଟଙ୍କାମୟ, ଗଣିବାକୁ ଦରକାର ହେଲା ମେସିନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟଙ୍କା ଗଦି ବିନା ନିଦ ହେଉ ନଥିଲା । କୋଟି କୋଟି ଟଙ୍କା ବିଛାଇ ଶୋଉଥିଲେ ସରକାରୀ ବାବୁ । ତାଙ୍କ ହିଁ ତାଙ୍କ ପାଇଁ ଥିଲା ସବୁକିଛି । ବିହାରର ଜଣେ ସରକାରୀ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହେବାପରେ ଜବତ ଟଙ୍କା ଦେଖି ତାଟକା ହୋଇଯାଇଥିଲେ ଭିଜିଲାନ୍ସ ଅଫିସର । ଜବତ ଟଙ୍କା ଗଣିବାକୁ ଅସମର୍ଥ ହେବାରୁ ମଗାଗଲା ଟଙ୍କା ଗଣିବା ମେସିନ । ଏତେଗୁଡ଼େ ଜବତ ଟଙ୍କା ରଖିବାକୁ ଜାଗା ନଥିବାରୁ ଆରବିଆଇ ନିର୍ଦ୍ଦେଶ କ୍ରମେ ଶନିବାର ଓ ରବିବାର ବ୍ୟାଙ୍କ ଛୁଟିଥାଇ ମଧ୍ୟ ବ୍ୟାଙ୍କ ଖୋଲାଯାଇ ରଖାଯାଇଛି ଟଙ୍କା ।
ସୂଚନା ଅନୁଯାୟୀ, ବିହାରର ପୂର୍ତ୍ତ ବିଭାଗରେ କାମ କରୁଥିବା ଇଞ୍ଜିନିୟର ସୁରେଶ ପ୍ରସାଦ ଓ କ୍ୟାସିୟର ଶଶିଭୂଷଣ କୁମାରଙ୍କୁ ଟଙ୍କା ଲାଞ୍ଚ ନେବା ସମୟରେ ଗିରଫ କରିଛି ଭିଜିଲାନ୍ସ । ସେମାନେ ଜଣେ କଣ୍ଟ୍ରାକ୍ଟରକୁ ରାସ୍ତାକାମ ବିଲ ପାଇଁ ୨୮ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । କଣ୍ଟ୍ରାକ୍ଟର ଜଣକ ଯେତେବେଳେ ୧୪ଲକ୍ଷ ଟଙ୍କା ନେଇ ଇଞ୍ଜିନିୟର ସୁରେଶ ପ୍ରସାଦଙ୍କ ଘରେ ପହଞ୍ଚିଥିଲେ ଭିଜିଲାନ୍ସ ଟିମ ସେଠାରେ ପହଞ୍ଚି ସୁରେଶଙ୍କୁ ଗିରଫ କରିଥିଲେ । ଏହାପରେ ତାଙ୍କ ଘର ସର୍ଚ୍ଚ କରାଯାଇଥିଲା । ସର୍ଚ୍ଚ ସମୟରେ ସୁରେଶ ତାଙ୍କ ଶୋଇବା ଖଟର ଗଦି ତଳେ ଟଙ୍କା ବିଛାଇ ଶୋଉଥିବା ଭିଜିଲାନ୍ସ ଟିମ ଦେଖିଥିଲେ । ତାଙ୍କ ଘରୁ ୨ କୋଟିରୁ ଉର୍ଦ୍ଧ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ପୂର୍ବରୁ କେବେ କୌଣସି ସରକାରୀ ଅଫିସରଙ୍କ ଘରୁ ଏତେ ପରିମାଣର ଟଙ୍କା ଜବତ ହୋଇନଥିଲା ।