ବିଜେପୁର ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ନବୀନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରଗଡ଼ ଜିଲ୍ଲା ବିଜେପୁର ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପୁରରେ ଥିବା ୩୪ ହଜାର କଚା ଘର ପକ୍କା ଘର କରାଯିବ । ଏଥିସହ ବରଗଡ଼ ଜିଲ୍ଲାରେ ୧୧୨୦ କୋଟିର ୨ଟି ପାନୀୟ ଜଳ ପ୍ରକଳ୍ପ ଘୋଷଣା କରାଯାଇଛି । ଦୁଇ ବର୍ଷ ଭିତରେ ବିଜେପୁର ଅଞ୍ଚଳର ପ୍ରତି ଘରକୁ ପାଇପ ଜଳ ଯୋଗାଣ ହେବ । ସେହିପରି ଗାଇସିଲଟ ବ୍ଲକ୍ରେ ୪୮ କୋଟି ବ୍ୟୟରେ ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ସହ ଓ ୩ ହଜାର ଏକର ଜମି ଜଳସେଚିତ ହେବ । ଏହାସହ ୯ଟି ନଦୀ ଉଠା ଜଳସେଚନ ପ୍ରକଳ୍ପ ଓ ୩ ହଜାର ଡିପ୍ ବୋରୱେଲ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ବିଜେପୁର ଓ ହିଞ୍ଜିଳି ଆସନରୁ ବିଜେଡି ବିଧାୟକଭାବେ ଲଢି ବିଜୟୀ ହୋଇଛନ୍ତି । ତେଣୁ ୬ ମାସ ମଧ୍ୟରେ ନବୀନଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡିବ । ବିଜେପୁର ଆସନକୁ ଛାଡିବା ସମ୍ଭାବନା ଅଧିକ ଥିବାରୁ ସେଠାରେ ଉନ୍ନତିମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଥିବା ଚର୍ଚ୍ଚା ଜୋର ଧରିଛି ।