ଭିଜିଲାନ୍ସ ଜାଲରେ ଗୋପ ଆଇଆଇସି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାମଲା ସମାଧାନ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୁରୀ ଜିଲା ଗୋପ ଥାନା ଅଧିକାରୀ ସୌମ୍ୟଜିତ୍ ମିଶ୍ର । ସୋମବାର ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ରେଞ୍ଜ ଡିଏଏସ୍ପି ଅକ୍ଷୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କୁ ଟଙ୍କା ସହ ଧରିଛନ୍ତି ।
ସୂଚନା ଅନୁଯାୟୀ, ୪ ଦିନ ତଳେ ଗୋପ ଥାନା ଅଧୀନ ଓଡ଼ପଣ୍ଡା ଗ୍ରାମରେ ଏକ ବିବାହ ଉତ୍ସବରେ ବାଣଫୁଟାକୁ କେନ୍ଦ୍ରକରି ୨ ପକ୍ଷଙ୍କ ମଧ୍ୟରେ ଗଣ୍ଡାଗୋଳ ହୋଇଥିଲା । ଏ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ଗୋପ ଥାନା ଅଧିକାରୀ ତଦନ୍ତ କରୁଥିଲେ । ଓଡ଼ପଣ୍ଡା ଗ୍ରାମର ଗଙ୍ଗାଧର ଜେନାଙ୍କ ନାମ ଏଥିରେ ରହିଥିଲା । ସେ ଏହି କେସ୍ରୁ ନିଜ ନାମ କାଟିବା ପାଇଁ ଥାନା ଅଧିକାରୀ ମିଶ୍ରଙ୍କୁ କହିଥିଲେ । ତେବେ କେସ୍ରୁ ଗଙ୍ଗାଧରଙ୍କ ନାମ କାଟିବା ପାଇଁ ଆଇଆଇସି ମିଶ୍ର ତାଙ୍କୁ ୫ ହଜାରେ ଟଙ୍କା ଲାଞ୍ଚ ମାଗିଥିଲେ । ସୋମବାର ଗଙ୍ଗାଧର ଆଇଆଇସିଙ୍କୁ ୩ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଭିଜିଲାନ୍ସ ଉକ୍ତ ଟଙ୍କା ଜବତ କରିବା ସହ ସୌମ୍ୟଜିତ୍ଙ୍କୁ ଗିରଫ କରିଛି ।