କଣ୍ଟାପଡାରେ ବାତ୍ୟା କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ୩ ତାରିଖରେ ହୋଇଥିବା ସାମୁଦ୍ରିକ ଝଡ଼ ‘ଫନୀ’ ପ୍ରଭାବରେ ବିଭିନ୍ନ ଅଞ୍ଚଳ ଧ୍ୱସ୍ତବିଧ୍ୱସ୍ତ ହୋଇଥିବା ବେଳେ କେନ୍ଦ୍ରୀୟ ଟିମ ମଙ୍ଗଳବାର କଟକ ଜିଲ୍ଲାର କଣ୍ଟାପଡ଼ା ବ୍ଲକ ଅଞ୍ଚଳରେ ବୁଲି ଦେଖିବା ସହ କ୍ଷୟକ୍ଷତି ଆକଳନ କରିଛନ୍ତି ।

ତେବେ ରିଲିଫ ଓ କ୍ଷୟକ୍ଷତି ଆକଳନରେ ପ୍ରଶାସନ ପଛୁଆ ରହିଥିବାରୁ ଏହି ଟିମ୍‌ ସ୍ଥାନୀୟ ପ୍ରଶାସନ ଉପରେ ବିରକ୍ତି ପ୍ରକାଶ କରିଥିଲେ ।

ଗତ ୧୧ତାରିଖରେ ବ୍ଲକର ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ଏହି ବ୍ଲକକୁ ‘ଏ’ ଗ୍ରେଡ୍‌ ବାତ୍ୟାଞ୍ଚଳ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ, ରିଲିଫ କମିଶନର ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାରକରି କେନ୍ଦ୍ରୀୟ ଟିମ୍‌ର ୧୧ଜଣିଆ ଅଧିକାରୀ କଟକ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ନେତୃତ୍ୱରେ କଣ୍ଟାପଡ଼ା ବ୍ଲକର ବାଇରୋଇ ଓ ଶିଶୁଆ ଗ୍ରାମରେ ପହଞ୍ଚିଥିଲେ ।

ଏହି ଟିମ୍‌‌ ସେଠାରେ ବାତ୍ୟା ପ୍ରଭାବିତଙ୍କ ସହ କଥାହେବା ସହ ଫସଲ ନଷ୍ଟ ସମ୍ପର୍କରେ ଚାଷୀଙ୍କ ସହ ଆଲୋଚନା କରିଥିଲେ । ପରେ ଏହି ଟିମ୍‌ ଅଡଶପୁର ପଞ୍ଚାୟତ ମଉଜପୁର ଗ୍ରାମ ପରିଦର୍ଶନ କରି ବାତ୍ୟା ପରବର୍ତ୍ତୀ ରିଲିଫ ଓ କ୍ଷୟକ୍ଷତିର ଆକଳନ ସମ୍ପର୍କରେ ଆଲୋଚନା କରିଥିଲେ । କେନ୍ଦ୍ରୀୟ ଟିମ୍‌ର ଗସ୍ତ ସମୟରେ କଟକ ଜିଲାର ସମସ୍ତ ଅଧିକାରୀ, କଣ୍ଟାପଡ଼ା ବିଡିଓ କେ. ଅଶୋକ କୁମାର, ତହସିଲଦାର ଆର୍ତ୍ତତ୍ରଣ ମଲିକ ପ୍ରମୁଖ ଉପସ୍ଥିଥିଲେ।

Leave a comment