ଯାଜପୁର ଜିଲ୍ଲା ରାଜନୀତି, ପୂର୍ବତନ ମନ୍ତ୍ରୀମାନଙ୍କ ଅବହେଳାକୁ ଅସ୍ତ୍ର କରିଛନ୍ତି ବିରୋଧୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ନିର୍ବାଚନରେ ଯାଜପୁର ଜିଲ୍ଲାର ବିଭିନ୍ନ ବିଧାନସଭା ଆସନ ପାଇଁ ୪ଜଣ ପୂର୍ବତନ ମନ୍ତ୍ରୀ ସୁକିନ୍ଦାରୁ କଂଗ୍ରେସର ଶରତ ରାଉତ, ବଡଚଣାରୁ ବିଜେଡିର ଅମରପ୍ରସାଦ ଶତପଥୀ, ବିଞ୍ଝାରପୁରରୁ ବିଜେଡିର ପ୍ରମିଳା ମଲ୍ଲିକ ଓ ଯାଜପୁରରୁ ବିଜେଡିର ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହୋଇଛନ୍ତି । ବିଞ୍ଝାରପୁର ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିବା ସମୟରେ ମଧ୍ୟାହ୍ନଭୋଜନ ଯୋଗାଣ କାର୍ଯ୍ୟକ୍ରମରେ ନିମ୍ନମାନର ଡାଲି ଚଢା ଦରରେ କିଣାଯାଇ ଯୋଗାଣ ହୋଇଥିବା ଅଭିଯୋଗ ହୋଇଥିଲା । ଏହା ପର୍ଦ୍ଦାଫାଶ ହେବା ପରେ ପ୍ରମିଳାଙ୍କୁ ୨୦୧୧ ଫେବୃୟାରୀ ୫ରେ ଇସ୍ତଫା ଦେବାକୁ ପଡିଥିଲା । ରାଜ୍ୟ ସରକାର ଏହି ଦୁର୍ନୀତିର ତଦନ୍ତ ଦାୟିତ୍ୱ ଭିଜିଲାନ୍ସ ବିଭାଗକୁ ନ୍ୟସ୍ତ କରିଥିଲେ ।

ସେହିପରି ଅମରପ୍ରସାଦ ଶତପଥୀ କୃଷି ମନ୍ତ୍ରୀ ଥିବା ସମୟରେ ବାଦାମ ବିହନ ଦୁର୍ନୀତି ଅଭିଯୋଗ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏଥିପାଇଁ ଅମରଙ୍କ ମନ୍ତ୍ରୀପଦ ମଧ୍ୟ ଯାଇଥିଲା । ସୁକିନ୍ଦା କଂଗ୍ରେସର ଶରତ ରାଉତ ମନ୍ତ୍ରୀ ଥିଲା ସମୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦିହୋଇଥିଲେ । ଏଭଳି ଭାବରେ ଜିଲାରେ ଏତେସବୁ ମନ୍ତ୍ରୀପଦ ମିଳିଥିଲେ ବି ଯାଜପୁର ଜିଲା ବିକାଶ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବରେ ପଛାଇଯାଇଛି । ଜିଲାରେ ସ୍ବାସ୍ଥ୍ୟ ସମସ୍ୟା ଏକ ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି । ପୂର୍ବତନ ମନ୍ତ୍ରୀମାନଙ୍କ ଏଭଳି ଅବହେଳା ଓ ଦୁର୍ନୀତିକୁ ଏବେ ବିରୋଧୀ ପ୍ରାର୍ଥୀମାନେ ପ୍ରସଙ୍ଗ କରିଛନ୍ତି ।

Leave a comment