ପାହାଲଗାମ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ମୃତ

ପାହାଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଛନ୍ତି । ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏବଂ ଘଟଣାସ୍ଥଳ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଆତଙ୍କବାଦୀମାନେ ସେମାନଙ୍କ ଉଦ୍ଦେଶ୍ୟରେ କେବେ ହେଲେ ସଫଳ ହେବେ ନାହିଁ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି ଯେ, ପାହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସମସ୍ତ ଏଜେନ୍ସି ସହିତ ଏକ ଜରୁରୀ ସୁରକ୍ଷା ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିବା ପାଇଁ ସେ ଶୀଘ୍ର ଶ୍ରୀନଗର ଯିବେ । ଶାହ ଏକଥା ମଧ୍ୟ କହିଛନ୍ତି ଯେ, ସେ ଘଟଣା ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୂର୍ବରୁ ଜଣାଇ ସାରିଛନ୍ତି । ଏଥିସହ ବରିଷ୍ଠ ଅଧିକାରୀଙ୍କ ସହ ଏକ ଭିଡିଓ କନଫରେନ୍ସିଂ କରିଛନ୍ତି ଗୃହମନ୍ତ୍ରୀ।
ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମୁଁ ଜମ୍ମୁ ଏବଂ କାଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରୁଛି।’ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା। ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି । ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ତଥା ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଏହି ଘୃଣ୍ୟ କାର୍ଯ୍ୟ ପଛରେ ଥିବା ଲୋକଙ୍କୁ ନ୍ୟାୟ ଦିଆଯିବ… ସେମାନଙ୍କୁ ଛଡ଼ାଯିବ ନାହିଁ! ଆତଙ୍କବାଦୀଙ୍କ ଘୃଣ୍ୟ କାର୍ଯ୍ୟସୂଚୀରେ ସେ କେବେ ସଫଳ ହେବେ ନାହିଁ। ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଆମର ସଂକଳ୍ପ ଆହୁରି ଦୃଢ଼ ହେବ।
ଆକ୍ରମଣକୁ ନିନ୍ଦା କରି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଏହି ଘୃଣ୍ୟ କାର୍ଯ୍ୟ ପାଇଁ ଦାୟୀ ଲୋକଙ୍କୁ କେବେ ହେଲେ ଛଡ଼ାଯିବ ନାହିଁ । ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଗୃହମନ୍ତ୍ରୀ । ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ପୋଲିସର ସୂଚନା ଅନୁଯାୟୀ, ପର୍ଯ୍ୟଟନସ୍ଥଳର ଉପତ୍ୟକାରେ ଗୁଳିର ଶବ୍ଦ ଶୁଣାଯାଇଥିଲା। ଗୁଳିଚାଳନା ଖବର ପାଇବା ମାତ୍ରେ ସୁରକ୍ଷା ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଏକ ଅତିରିକ୍ତ CRPF ଟିମ୍ ମୁତୟନ କରାଯାଇଛି।
ଆପଣଙ୍କୁ କହିରଖୁଛୁ ଯେ, ଜମ୍ମୁ ଏବଂ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ପାହାଲଗାମର ଉପର ସମତଳ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୨୭ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଆଶଙ୍କା କରାଯାଉଥିବା ସୂଚନା ମିଳିଛି । ଏଥିସହ ଅନେକ ଆହତ ହୋଇଥିବା ରିପୋର୍ଟ ଆସିଛି । ଘଟଣାଟି ମଙ୍ଗଳବାର ଦିନ ପ୍ରାୟ ୨:୩୦ ସମୟରେ ଘଟିଥିଲା।
ଆହତ ହୋଇଥିବା ପର୍ଯ୍ୟଟକଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ଶଶୀ କୁମାରୀ, ଗୁଜରାଟର ବିନୟ ଭଟ୍ଟ ଏବଂ ମାଣିକ ପଟେଲ୍, ଗୁଜୁରାଟର ରାଇନୋ ପାଣ୍ଡେ, ମହାରାଷ୍ଟ୍ରର ଏସ ବାଳଚନ୍ଦ୍ର, ଡ ପରମେଶ୍ୱର, କର୍ଣ୍ଣାଟକର ଅଭିଜଗମ ରାଓ, ତାମିଲନାଡୁର ଶନ୍ତ୍ରୃ ।