ସ୍କୁଲ ଆଗରୁ ଶିଶୁ ଅପହରଣ, ୬ଘଣ୍ଟା ଭିତରେ ଉଦ୍ଧାର

ଭୁବନେଶ୍ୱର, ରାଜଧାନୀ ଉପକଣ୍ଠ ଏୟାରଫିଲ୍ଡ ଥାନା ପାଞ୍ଚଗାଁର ଏକ ସ୍କୁଲ ସାମ୍ନାରୁ ଜଣେ ଶିଶୁକୁ ଅପହରଣ କରାଯାଇଥିଲା । ମୁଣ୍ଡ ଜାମିନ ବାବଦ ଅଭିଯୁକ୍ତମାନେ ୨୦ଲକ୍ଷ ଟଙ୍କା ଦାବି କରିଥିଲେ । ଏହି ଘଟଣାର ୬ଘଣ୍ଟା ଭିତରେ ପୋଲିସ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ୭ଜଣଙ୍କୁ ଗିରଫ କରିଛି । ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁସାରେ, ସବୁଦିନ ପରି ପାଞ୍ଚଗାଁର ଆର୍ତ୍ତ ରଂଜନ କାଲିଆଙ୍କ ଦୁଇ ପୁଅ ଆଜି ମଧ୍ୟ ସ୍କୁଲ ଯାଇଥିଲେ । ସକାଳ ୧୦ଟା ବେଳେ ସାନ ପୁଅ ଘରକୁ ଫେରିଥିବା ବେଳେ ବଡପୁଅ (୧୦) ଆସିନଥିଲା । ମା’ ପଚାରିବାରୁ ଭାଇ ପଛରେ ଆସୁଛି ବୋଲି ସାନପୁଅ କହିଥିଲା । ମା’ ଏହାକୁ ହାଲକା ଭାବେ ନେଇ ଠାରୁ ପୂଜା କରିଥିଲା । ଏହି ସମୟରେ ଏକ ଅଜଣା ନମ୍ବରରୁ ତାଙ୍କ ମୋବାଇଲକୁ ଫୋନ ଆସିଥିଲା । ଫୋନ ଉଠାଇବା ମାତ୍ରେ ଅପହର୍ତ୍ତାମାନେ ତମ ପୁଅ ଆମ ପାଖରେ ଅଛି, ଟଙ୍କା ଦେଲେ ପୁଅକୁ ଫେରାଇବୁ ବୋଲି କହିଥିଲେ । ଘଟଣା ସମ୍ପର୍କରେ ପୋଲିସକୁ ନଜଣାଇବାକୁ ଅପହର୍ତ୍ତାମାନେ ଧମକ ଦେଇଥିଲେ ।
ଏହା ପରେ ତାଙ୍କ ଘରେ କାନ୍ଦ ବୋବାଳି ପଡିଥିଲା । ପଡୋଶୀ ଲୋକେ ପହଞ୍ଚି ପୋଲିସକୁ ଅବଗତ କରିଥିଲେ । କମିଶନରେଟ ପୋଲିସ ଘଟଣାକୁୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ଏୟାରଫିଲ୍ଡ ଥାନା ଓ ସ୍ପେଶାଲ ସ୍କ୍ୱାଡ ଅତି ସନ୍ତର୍ପଣ ସହକାରେ ଛାନଭିନ ଆରମ୍ଭ କରିଥିଲେ । ତଦନ୍ତ ବେଳେ ଜଣାପଡିଲା ଯେ, ଅପହୃତ ଶିଶୁର ମା’ ଯେତେବେଳେ ଅପହର୍ତ୍ତାଙ୍କ ସହ ଫୋନରେ କଥା ହେଉଥିଲେ, ଏହି ସମୟରେ ପଡୋଶୀ ତଥା ଟିଉସନ ସାର ଶୁଭ୍ରକାନ୍ତ ମହାପାତ୍ର ଓରଫ ବାସୁନି ପହଞ୍ଚି ଘଟଣା ସମ୍ପର୍କରେ କାହାକୁ କିଛି ନକହିବାକୁ କହିଥିଲେ । ଏପରିକି ସେ ଅପହର୍ତ୍ତାଙ୍କୁ ପିଛା କରୁଥିବା ବେଳେ ସେମାନେ ବନ୍ଧୁକ ଦେଖାଇ ତାଙ୍କୁ ଭୟଭୀତ କରିଥିବା ସେ କହିଥିଲେ ।
ପୋଲିସ ପ୍ରାଥମିକ ଭାବେ ଶୁଭ୍ରକାନ୍ତଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା । ଜେରା ବେଳେ ସେ ପୋଲିସ ଆଗରେ ସମସ୍ତ ଦୋଷ ସ୍ୱିକାର କରିଥିଲା । ପରେ ତା’ ବୟାନକୁ ଆଧାର କରି ପୋଲିସ ଖୋର୍ଦ୍ଧା ନିରାକାରପୁରରୁ ଶିଶୁକୁ ଉଦ୍ଧାର କରିବା ସହ ୩ଜଣଙ୍କୁ ଗିରଫ କରିଥିଲା । ପରେ ଖଲ୍ଲିକୋଟରୁ ଆଉ ୩ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।
ଗିରଫ ଅଭିଯୁକ୍ତମାନେ ହେଲେ ଶୁଭ୍ରକାନ୍ତ ମହାପାତ୍ର, ନୟାଗଡ ରଣପୁରର ସୋମନାଥ ଦାସ ଓରଫ ସୋମୁ, ନିରାକାରପୁରର ଚିନ୍ମୟ ନାୟକ ଓରଫ ବିକି, ଜଙ୍କିଆର ସନ୍ଦୀପ ରାଉତରାୟ ଓରଫ ରକି, ସାଗର ନାୟକ, ସୁଜାତା ଜେନା ଓ ନିବେଦିତା ଦାସ । ଏହି ଦୁଇ ମହିଳା ଚିନୁ ଓ ସୋମୁର ପତ୍ନୀ ବୋଲିି ଜଣାପଡିଛି ।
କାହିିଁକି ଓ କେମିତି ହେଲା ଅପହରଣ
ଅପହୃତ ଶୁଶୁ ଗିରଫ ଶୁଭ୍ରକାନ୍ତଙ୍କ ଘରକୁ ଟିଉସନ ହେବାକୁ ଯାଉଥିଲା । ଶୁଭ୍ରକାନ୍ତଙ୍କ ଭଉଣୀ ଓ ସେ ମିଶି ଦୁହେଁ ପିଲାଙ୍କୁ ଟିଉସନ କରୁଥିଲେ । ଶୁଭ୍ରକାନ୍ତ ଓ ତା’ର ସହଯୋଗୀମାନେ ରାତାରାତିି କୋଟିପତି ହେବାର ସ୍ୱପ୍ନ ଦେଖୁଥିଲେ । ନିକଟରେ ଡେଲାଙ୍ଗ ନାବାଳକ ଅପହରଣ ଓ ହତ୍ୟା ଘଟଣାକୁ ନେଇ ଲୋକେ ଭୟଭୀତ ଥିବା ବେଳେ ଏହାର ସୁଯୋଗ ନେବାକୁ ଶୁଭ୍ରକାନ୍ତ ଚିନ୍ତା କରିଥିଲା । ଫଳରେ ଶିଶୁ ଅପହରଣ ଓ ମୁଣ୍ଡ ଜାମିନ ରଖି ଟଙ୍କା ଅସୁଲ କରିବାକୁ ସହଯୋଗୀଙ୍କ ସହ ଯୋଜନା ପ୍ରସ୍ତୁତ କରିଥିଲା ।
ନିକଟରେ ଆର୍ତ୍ତ କାଲିଆ ଜମି ବିକ୍ରି କରି ଘରେ ଟଙ୍କା ରଖିଥିବା ସେ ଜାଣିଥିଲା । ତାଙ୍କ ଠାରୁ ଟଙ୍କା ସହଜରେ ଅସୁଲ କରିହେବ ବୋଲି ଚିନ୍ତା କରି ଯୋଜନା ପ୍ରସ୍ତୁତ କରିଥିଲା । କାଲି ରାତିରେ ଯୋଜନା ପ୍ରସ୍ତୁତ କରି ସକାଳୁ ଏହାକୁ ବାସ୍ତକ ରୂପ ଦେବାକୁ ସେ ଚେଷ୍ଠା କରିଥିଲା । ପୂର୍ବ ଯୋଜନା ମୁତାବକ ସ୍କୁଲ ଠାରୁ କିଛି ଦୂରରେ ଏକ କାରରେ ଚିନୁ, ସୋମୁ ଓ ରକି ଅପେକ୍ଷା କରିଥିଲେ । ସ୍କୁଲ ଛୁଟି ହେବା ପରେ ଶୁଭ୍ରକାନ୍ତ ନାବାଳକୁ ହସପିଟାଲ ଯିବା କହି ଡାକି ନେଇଥିଲା । ସେ ପ୍ରଥମେ ମନା କରିଥିଲା, ହେଲେ ଶେଷରେ ତାଙ୍କ କଥାରେ ରାଜି ହୋଇଯାଇଥିଲା । କିଛି ବାଟ ଯିବାରେ କାରରେ ଅପେକ୍ଷା କରିଥିବା ଅଭିଯୁକ୍ତମାନେ ତାଙ୍କୁ ଉଠାଇ ନେଇ ଚମ୍ପଟ ମାରିଥିଲେ ।
ଶିଶୁକୁ ନେଇ ନିରାକାରପୁରର ଏକ ବସ୍ତିରେ ରହୁଥିବା ସାଗର ନାୟକ, ସୁଜାତା ଜେନା ଓ ନିବେଦିତା ଦାସଙ୍କ ଦାୟିତ୍ୱରେ ଛାଡି ଅଭିଯୁକ୍ତମାନେ ଖଲ୍ଲିକୋଟ ପଳାଇଯାଇଥିଲେ । ଇତି ମଧ୍ୟରେ ପୋଲିସ ସେମାନଙ୍କ ସୁରାକ ପାଇ ପିଛା କରୁଥିଲା । ପ୍ରଥମେ ନିରାକାରପୁରରୁ ଶିଶୁକୁ ଉଦ୍ଧାର କରିଥିଲା । ପରେ ଜଣକ ପରେ ଜଣେ ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ବେଶ ପ୍ରସଂଶା କରାଯାଉଛି ।