୬୨ କୋଟି ହେରଫେର ସିବିଆଇର ଚଢଉ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏଆରଏସଏସ ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ ଲିମିଟେଡ କମ୍ପାନୀ ପ୍ରୋଜେକ୍ଟ ନାଁରେ ଏକ ରାଷ୍ଟ୍ରାୟତ ବ୍ୟାଙ୍କରୁ ୬୨କୋଟି ଋଣ ନେଇ ହେରଫେର କରିଥିବା ଅଭିଯୋଗରେ କୋଲକାତା ସିବିଆଇର ଏକ ସ୍ୱତନ୍ତ୍ର ଟିମ କମ୍ପାନୀ ଉପରେ ଚଢଉ କରିଛି ।

ଘଟଣା କ୍ରମେ

କୋଲକାତା ସିବିଆଇର ଏକ ସ୍ୱତନ୍ତ୍ର ଟିମ ବୁଧବାର
ସନ୍ଧ୍ୟାରେ ଭୁବନେଶ୍ୱର ସିବିଆଇ ଅଧିକାରୀଙ୍କ ସହାୟତାରେ ମଞ୍ଚେଶ୍ୱରସ୍ଥିତ ଏଆରଏସଏସର କମ୍ପାନୀ ମୁଖ୍ୟ କାର୍ଯ୍ୟାଳୟରେ ଚଢଉ କରିଥିଲା ।
ଚଢଉ ବେଳେ ସିବିଆଇ ଅଧିକାରୀମାନେ କିଛି ଗୁରୁତ୍ୱପୂର୍ଣ କାଗଜପତ୍ର ଜବତ କରିଥିବା ଜଣାପଡିଛି ।

ପରେ କମ୍ପାନୀ ମୁଖ୍ୟ ଅନୀଲ ଅଗ୍ରୱାଲଙ୍କ ନୂଆପଲ୍ଲୀସ୍ଥିତ ଘର ସମେତ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି । କୋଲକାତା କୋର୍ଟର ଅନୁମତିରେ ସିବିଆଇ ଏହି ଚଢ଼ାଉ କରାଯାଇଥିବା ଜଣାପଡିଛି ।

ସିବିଆଇ ସୂଚନା ଅନୁସାରେ, ଏଆରଏସଏସ କମ୍ପାନୀ ଏକ ପ୍ରୋଜେକ୍ଟ କରିବା ନାଁରେ ଏକ ବ୍ୟାଙ୍କରୁ ୬୨କୋଟି ଟଙ୍କା ଋଣ ନେଇଥିଲା । ପରବର୍ତ୍ତୀ ସମୟରେ ଉକ୍ତ ପ୍ରୋଜେକ୍ଟର କାମ ହୋଇନଥିଲା । ଏଥିସହିତ କମ୍ପାନୀ ବ୍ୟାଙ୍କରୁ ନେଇଥିବା ଋଣ ଟଙ୍କା ମଧ୍ୟ ପରିଶୋଧ କରି ନଥିଲା । ଯାହାକୁ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ସିବିଆଇରେ ଅଭିଯୋଗ କରିଥିଲେ ।

ଉକ୍ତ ଅଭିଯୋଗ ଆଧାର କରି କୋଲକାତା ସିବିଆଇ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଏଆରଏସଏସ କମ୍ପାନୀର କାଗଜପତ୍ର ଯାଞ୍ଚର ଆବଶ୍ୟକତା ପଡିଥିଲା । ଏଥିପାଇଁ କମ୍ପାନୀର ଅଫିସ ଓ ନିର୍ଦ୍ଦେଶକଙ୍କ ଘରେ ଚଢ଼ାଉ କରାଯିବା ନେଇ ସିବିଆଇ କୋର୍ଟଙ୍କ ଅନୁମତି ଲୋଡିଥିଲା । କୋର୍ଟଙ୍କ ଅନୁମତି ମିଳିବା ପରେ ବୁଧବାର କୋଲକାତା ସିବିଆଇ ଟିମ ଭୁବନେଶ୍ୱରରେ ପହଞ୍ଚି ଚଢଉ କରିଥିଲେ । ଏନେଇ ଏଆରଏସଏସ କମ୍ପାନୀର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave a comment