ପରିକ୍ରମା ପ୍ରକଳ୍ପ ଯୋଗୁଁ ମେଘନାଦ ପାଚେରୀରେ ଫାଟ ସୃଷ୍ଟି ଅଭିଯୋଗ ଭିତ୍ତିହୀନ : ବିଜେଡି
ଭୁବନେଶ୍ୱର ): ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହୋଇଥିବା ଖବର ଆସିବା ପରେ ପରିକ୍ରମା ପ୍ରକଳ୍ପକାର୍ଯ୍ୟକୁ ଏହି ଫାଟ ପାଇଁ ଦାୟୀ ବୋଲି ଦାବି କରି ବିଜେପି ପ୍ରବକ୍ତାଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗକୁ ବିଜୁ ଜନତା ଦଳ ତରଫରୁ ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠନେତା ତଥା କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଦଳରମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ. ଲେନିନ ମହାନ୍ତି ଓ ଦଳର ମୁଖପାତ୍ର ମିହିର ରାୟ ଦୃଢ଼ ଖଣ୍ଡନ କରିଛନ୍ତି ।
ଗଣେଶ୍ୱର ବେହେରା କହିଥିଲେ, ମେଘନାଦ ପାଚେରୀର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରତ୍ନତତ୍ତ୍ୱ ବିଭାଗର, ଯାହା କେନ୍ଦ୍ର ସରକାରଙ୍କ ଏକ ସଂସ୍ଥା । ତେଣୁ ପାଚେରୀରେ ଫାଟ ସୃଷ୍ଟି ହେଲେ, ଆଙ୍ଗୁଳି ନିର୍ଦ୍ଦେଶ କାହା ଉପରେ ହେବା ଦରକାର । ବିଜେପି ରାଜ୍ୟରେ ସରକାରକୁ ଆସିବା ଚାରି ମାସ ପୁରି ଗଲାଣି । ଶାସନ ଭାର ନେବା ପରେ, ପୁରୀରେ ପ୍ରଥମ କ୍ୟାବିନେଟ ବୈଠକ କରି ସରକାର ଏହି ବାର୍ତ୍ତା ଦେଇଥିଲେ ଯେ, ଜଗନ୍ନାଥଙ୍କ ପାଇଁ ସେମାନେ ସମର୍ପିତ । କିନ୍ତୁ, ପାଚେରୀରୁ ପାଣିଗଳିବାକୁ ନେଇ ବୟାନବାଜି କରିବା ପୂର୍ବରୁ, ରାଜ୍ୟ ସରକାରଏହି ପ୍ରସଙ୍ଗ ପ୍ରତ୍ନତତ୍ତ୍ୱ ବିଭାଗକୁ ଅବଗତ କରିଛନ୍ତି କି ଓ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କି ବୋଲି ଶ୍ରୀବେହେରା ପ୍ରଶ୍ନକରିଥିଲେ। ପରିକ୍ରମା ପ୍ରକଳ୍ପ ନିର୍ମାଣ ବେଳେ କରାଯାଇଥିବା ଖୋଳାଖୋଳି କାରଣରୁ ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହୋଇଛି ବୋଲି ବିଜେପି ପ୍ରବକ୍ତା ଜାଣିଲେ କେମିତି? ସେ କ’ଣ ଏହି ବିଷୟରେ ଜଣେ ବିଶେଷଜ୍ଞ? ପ୍ରବକ୍ତାଙ୍କ ଏହି ଉଦ୍ୟମ ପର୍ବତକୁ ଢେଲା ମାରିବା ସଦୃଶ୍ୟ ବୋଲି ଶ୍ରୀବେହେରା କହିଥିଲେ ।
ଶ୍ରୀବେହେରା ଆହୁରି କହିଥିଲେ, ଧନ୍ୟବାଦ ଦେବି ପୂର୍ବତନ ସରକାରଙ୍କୁ, ଜଗନ୍ନାଥ ମନ୍ଦିରକୁ ଆସୁଥିବା ଅଗଣିତ ଭକ୍ତମାନଙ୍କ ସୁବିଧା ପାଇଁ ପରିକ୍ରମା ପ୍ରକଳ୍ପ ପରି ଏକ ଅଭିନବ ପ୍ରକଳ୍ପ କରିବା ପାଇଁ ସାହସ ଦେଖାଇଲେ। ସେତେବେଳେ, ପରିକ୍ରମା ପ୍ରକଳ୍ପକୁ ବନ୍ଦ କରିବା ପାଇଁ ରାଜ୍ୟ ବିଜେପିର ନେତାମାନେ ପରୋକ୍ଷରେ ଉଦ୍ୟମ କରିଥିଲେ। ମାମଲା ସର୍ବୋଚ୍ଚ ନ୍ୟାୟାଳୟକୁ ଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟ କେବଳ ମାମଲାକୁ ଖାରଜ କରିବା ସହିତ ଅଭିଯୋଗକାରୀଙ୍କ ଉପରେ ଜୋରିମାନା ମଧ୍ୟ ଲଗାଇଥିଲେ । ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରତ୍ନତତ୍ତ୍ୱ ବିଭାଗ ମଧ୍ୟ ନିଜର ମତ ରଖିଥିଲେ ଏବଂ ତାଙ୍କ ତରଫରୁ ଏଭଳି କୌଣସି ଅଭିଯୋଗ କରାଯାଇ ନଥିଲା । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁମୋଦନ କ୍ରମେ ପରିକ୍ରମା ପ୍ରକଳ୍ପକାର୍ଯ୍ୟ ସମ୍ପୂର୍ଣ ହୋଇଥିଲା। ଆଜି ଦେଶ ବିଦେଶରୁ ଆସୁଥିବା ଅଗଣିତ ଭକ୍ତ ଏହାର ସୁବିଧା ପାଉଛନ୍ତି ବୋଲି ଶ୍ରୀବେହେରା କହିଥିଲେ ।
ଇସ୍କନ ତରଫରୁ ଆୟୋଜିତ ହେବାକୁ ଥିବା ରଥଯାତ୍ରା ବିବାଦ ସମ୍ପର୍କରେ ଶ୍ରୀବେହେରା କହିଥିଲେ, ମାନ୍ୟବର ଗଜପତି ଏହି ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟ ସହିତ ବିଜୁଜନତା ଦଳ ଏକମତ । ଅସମୟରେ ରଥଯାତ୍ରା ଆୟୋଜନ କରି ପବିତ୍ର ରଥଯାତ୍ରା ପରମ୍ପରାକୁ ବିବାଦ ଭିତରକୁ ଆଣନ୍ତୁ ନାହିଁ ବୋଲି ଇସ୍କନକୁ ଆମର ନିବେଦନ । ଆଶା, ଇସ୍କନ କର୍ତ୍ତୃପକ୍ଷଏହାକୁ ସମ୍ମାନ ଦେବେ ।
ଡଃଲେନିନ ମହାନ୍ତି କହିଥିଲେ, ପରିକ୍ରମା ପ୍ରକଳ୍ପର ଆରମ୍ଭରୁ ହିଁ ବିଜେପିର ଅସୂୟାଭାବ ସ୍ପଷ୍ଟ ଜଣାପଡ଼ିଥିଲା ଓ ପ୍ରକଳ୍ପ କିପରି ବନ୍ଦ ହେବ ତା ପାଇଁ ହୀନ ଉଦ୍ୟମ ଜାରି ରହିଥିଲା । ପ୍ରତ୍ନତତ୍ତ୍ୱ ବିଭାଗର ଅପାରଗତା ତାଙ୍କୁ ଦେଖାଜାଉ ନାହିଁ । କେବଳ ରାଜନୀତି କରିବା ଉଦ୍ଦେଶ୍ୟରେ ପୂର୍ବ ସରକାର ଓ ବ୍ୟକ୍ତିବିଶେଷକୁ ଦାୟୀକରିବା ପାଇଁ ହୀନ ଉଦ୍ୟମ କରୁଛନ୍ତି ।