ଭିତରକନିକା ଓ ଧାମରା ଭିତରେ ସ୍ଥଳଭାଗ ଛୁଇଁବ ବାତ୍ୟା!

0

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବେ ଗଭୀର ଅବପାତଟି ଆଜି ସକାଳେ ବାତ୍ୟାରେ ପରିଣତ ହୋଇଛି । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଂଟାପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢୁଛି । ବାତ୍ୟା ‘ଦାନା’ କେନ୍ଦ୍ରାପଡା ଜିଲ୍ଲା ଭିତରକନିକା ଓ ଭଦ୍ରକ ଜିଲ୍ଲା ଧାମରା ଭିତରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବାତ୍ୟାଟି ପାରାଦୀପଠୁ ୫୬୦ ଓ ସାଗରଦ୍ୱୀପରୁ ୬୩୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ବାତ୍ୟାଟି ଗତ ୬ ଘଂଟା ହେବ ଘଂଟାପ୍ରତି ୧୮ କିମି ବେଗରେ ଗତି କରୁଛି । ପାରାଦୀପ ରାଡାର ଇମେଜରେ ବାତ୍ୟାର ଚିତ୍ର ଦୃଶ୍ୟମାନ ହୋଇଛି । ଆସନ୍ତାକାଲି ଏହା ଭୀଷଣ ବାତ୍ୟାରେ ପରିଣତ ହୋଇ ଓଡ଼ିଶାର ପୁରୀ ଏବଂ ପଶ୍ଚିମବଙ୍ଗର ସାଗରଦ୍ୱୀପ ମଧ୍ୟରେ ଆସନ୍ତାକାଲି ରାତି କିମ୍ବା ୨୫ ପାହାନ୍ତା ଭିତରେ ଉପକୂଳ ଅତିକ୍ରମ କରିବ। ଭୀଷଣ ବାତ୍ୟା ଉପକୂଳ ଅତିକ୍ରମ ବେଳେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବ। ବାତ୍ୟାର ପ୍ରଭାବ ଉତ୍ତର ଓଡ଼ିଶା ଉପରେ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତାକାଲି ସକାଳେ ହେବ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ।୨୪ ରାତି ଓ ୨୫ ସକାଳ ଭିତରେ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପୁରୀରୁ ପଶ୍ଚିମବଙ୍ଗ ସାଗର ଦ୍ବୀପ ଭିତରେ ଉପକୂଳ ପାର କରିବ ଭୀଷଣ ବାତ୍ୟା। ତେବେ ଉତ୍ତର ଓଡ଼ିଶାରେ ବାତ୍ୟା ବେଶୀ କୋପ ଦେଖାଇବ। ୭ଟି ଜିଲ୍ଲାରେ ଆସନ୍ତାକାଲି ଏବଂ ପରଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି। ବାତ୍ୟା ପ୍ରଭାବରେ ଓଡ଼ିଶା ଉପକୂଳରେ ପ୍ରବଳ ବେଗରେ ପବନ ବହିବ। ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୨୦ କିମି ରହିପାରେ।

ସେହିପରି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୧୦ କିଲୋମିଟର ରହିପାରେ। ମୟୂରଭଞ୍ଜ ୮୦-୯୦ ଓ ପୁରୀରେ ପବନରେ ବେଗ ରହିପାରେ ୬୦-୮୦ କିଲୋମିଟର। ସେହିପରି କଟକ, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲା ସମେତ ଭୁବନେଶ୍ବରରେ ପବନର ବେଗ ଘଣ୍ଟାପ୍ରତି ୬୦-୭୦ କିଲୋମିଟର ରହିବା ନେଇ ଆକଳନ କରାଯାଇଛି ।

ସମୁଦ୍ର ଅଶାନ୍ତ ରହୁଥିବାରୁ ଗୋପାଳପୁର, ପାରାଦୀପ ଏବଂ ଧାମରା ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ବି ଜାରି ହୋଇଛି। ଆଜି ରାତି ସୁଦ୍ଧା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ। ପ୍ରଭାବିତ ହେବାକୁଥିବା ଜିଲ୍ଲା ଗୁଡିକରେ ସରକାରୀ ଆଶ୍ରୟସ୍ଥଳୀ ବାଦ୍ ଆଉ ୫ଶହ ଅସ୍ଥାୟୀ ଆଶ୍ରୟ ଶିବିର ଏବଂ ୨୫୦ଟି ରିଲିଫ୍ ସେଣ୍ଟରର ବ୍ୟବସ୍ଥା ହୋଇଛି।

Leave a comment