ସିବିଆଇ ଦ୍ୱାରା ଡାକ୍ତର ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଚୋର ଘର ସବୁବେଳେ ଅନ୍ଧାର ନଥାଏ। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ବ୍ରଜରାଜନଗରସ୍ଥିତ କେନ୍ଦ୍ରୀୟ ହସ୍ପିଟାଲରେ ।
ଡାକ୍ତର ରାଜକିଶୋର ସାହୁ ଜଣେ ହିତାଧିକାରୀଙ୍କୁ ମେଡିକାଲ ଫିଟନେସ ସାର୍ଟିଫିକେଟ ଦେବାକୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ତାଙ୍କୁ ଗିରଫ କରିବା ସହ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ସରକାରୀ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢଉ କରିଛି ।

ଘଟଣା କ୍ରମେ

ମହାନଦୀ କୋଲ ଫିଲ୍ଡ ଲିମିଟେଡ (ଏମସିଏଲ) ଲଖନପୁରରେ ଫିଟର ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କର ୨୦୧୬ ଜୁଲାଇରେ ଅକାଳ ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁ ପରେ ନିୟମ ଅନୁସାରେ ତାଙ୍କ ପୁଅ ଏମସିଏଲରେ ନିଯୁକ୍ତି ଲାଗି ଆବେଦନ କରିଥିଲେ । ଏଥିପାଇଁ ମେଡିକାଲ ଫିଟନେସ ସାର୍ଟିଫିକେଟର ଆବଶ୍ୟକତା ପଡିଥିଲା । ତେଣୁ ବ୍ରଜରାଜନଗରସ୍ଥିତ ଏମସିଏଲ ସେଣ୍ଟ୍ରାଲ ହସ୍ପିଟାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଯାଇଥିଲେ ।
ଡାକ୍ତର ରାଜକିଶୋର ସାହୁ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ମାତ୍ର ସାର୍ଟିଫିକେଟ ବାବଦ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସେ ଯେତେ ଅନୁରୋଧ କରିଥିଲେ ମଧ୍ୟ ଡାକ୍ତର ତାଙ୍କ କଥାକୁ କର୍ଣ୍ଣପାତ କରିନଥିଲେ । ପରବର୍ତ୍ତ ସମୟରେ ସେ ୮ହଜାର ଟଙ୍କା ଦେବାକୁ ରାଜି ହେବା ସହ ସିବିଆଇରେ ଅଭିଯୋଗ କରଥିଲେ ।

ଯୋଜନା ମୁତାବକ ମଙ୍ଗଳବାର ସେ ଲାଞ୍ଚ ଟଙ୍କା ନେଇଥିବା ବେଳେ ସିବିଆଇ ତାଙ୍କୁ କାବୁ କରିଥିଲେ । ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ତାଙ୍କୁ ଅଟକ ରଖି ସିବିଆଇ ପଚରାଉଚରା କରିବା
ପରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ସିବିଆଇ ତାଙ୍କ ସରକାରୀ ବାସଭବନ ସମେତ ବିଭିନ୍ନସ୍ଥାନରେ ଚଢଉ କରିଛି । ଚଢଉ ବେଳେ ସିବିଆଇ କୋଟିଏରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ଠାବ କରିଥିବା ଜଣାପଡିଛି । ଡାକ୍ତର ଶ୍ରୀସାହୁଙ୍କୁ ଆଜି ଭୁବନେଶ୍ୱରସ୍ଥିତ ସିବିଆଇ କୋର୍ଟରେ ହାଜର କରାଯିବ ।

Leave a comment