ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ନକ୍ସଲଙ୍କୁ ଆହ୍ଵାନ ଦେଲେ ଅମିତ ଶାହ
ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଲାଲବାହିନୀକୁ ଆହ୍ଵାନ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ବିଶେଷ କରି ଯୁବ କ୍ୟାଡରଙ୍କୁ ସେ ଏହି ଅନୁରୋଧ କରିଛନ୍ତି। ନକ୍ସଲ ସମସ୍ୟାକୁ ନେଇ ଦିଲ୍ଲୀରେ ହୋଇଥିବା ବୈଠକରେ ଅମିତ ଶାହା କହିଛନ୍ତି, ହିଂସା ଦ୍ଵାରା କିଛି ହେବନି। ଯୁବ ପୀଢ଼ିଙ୍କୁ ବିଭ୍ରାନ୍ତ କରି ଲାଲବାହିନୀରେ ସାମିଲ କରାଯାଉଛି। ସେମାନେ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଉଚିତ। ଏହା ଦ୍ଵାରା ସମସ୍ତଙ୍କର ମଙ୍ଗଳ ହେବ। କିଛି ଦିନ ତଳେ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବିରାଟ ସଫଳତା ନେଇ ଅମିତ ଶାହା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୨୦୨୪ ର ପ୍ରଥମ ୧୦ ମାସରେ କେବଳ ଛତିଶଗଡ଼ରେ ୧୯୪ ନକ୍ସଲ ନିହତ ହୋଇଥିବା ବେଳେ ୮ ଶହରୁ ଅଧିକ ଗିରଫ ହୋଇଛନ୍ତି। ସେହିପରି ୭୫୦ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଯେଉଁମାନେ ଆତ୍ମସମର୍ପଣ କରିଛନ୍ତି, ସେମାନଙ୍କ ଥଇଥାନ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଗତ ୧୦ ବର୍ଷରେ ୩ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ଅତ୍ୟାଧୁନିକ ଥାନା ନିର୍ମାଣ କରାଯାଇଛି। ସେହିପରି ନକ୍ସଲ ଅଞ୍ଚଳରେ ନିର୍ମାଣ କରାଯାଇଛି ୨ ହଜାର କିଲୋମିଟର ରାସ୍ତା। ୧୫ ହଜାରକୁ ଅଧିକ ମୋବାଇଲ ଟାୱାର ନିର୍ମାଣ କରାଯାଇଥିବା କହିଛନ୍ତି ଅମିତ ଶାହ।