୬ରୁ ହବିଷ୍ୟାଳୀ ଯୋଜନାରେ ପଞ୍ଜୀକରଣ
ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ଧର୍ମମାସ କାର୍ତ୍ତିକରେ ‘ରାଇଦାମୋଦର ବ୍ରତ’ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଚଳିତ ବର୍ଷ ମଧ୍ୟ କାର୍ଯ୍ୟକାରୀ ହେବ ହବିଷ୍ୟାଳୀ ଯୋଜନା। ସଂସ୍କୃତି ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିବା ସହ ଏହାକୁ ଅନୁମୋଦନ ଦେଇଛନ୍ତି। ଚଳିତବର୍ଷ ପ୍ରାୟ ୨,୫୦୦ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା କରାଯାଉଛି। ଏଥି ପାଇଁ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା। କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ। ଏ ନେଇ ଆଜି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।
ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଚଳିତ ବର୍ଷର ହବିଷ୍ୟାଳୀ ବ୍ରତ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି, ଅକ୍ଟୋବର ୬ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୧୧ ତାରିଖ ଯାଏ ଚାଲିବ। edistrict.odisha.gov.in ୱେବସାଇଟରେ ଆବେଦନ କରିପାରିବେ ହବିଷ୍ୟାଳୀ। ୨୫ ଶହ ହବିଷ୍ୟାଳୀଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯିବ। ସବୁ ବର୍ଷ ଭଳି ସବୁ ସୁବିଧା ହବିଷ୍ୟାଳୀଙ୍କୁ ଯୋଗାଇ ଦିଆଯିବ।