ଇସ୍ରାଏଲ ଉପରେ ବଡ଼ଧରଣର ଆକ୍ରମଣ କଲା ଇରାନ
ଆରମ୍ଭ ହେଲା ଇସ୍ରାଏଲ ଓ ଇରାନ ସିଧାସଳଖ ଯୁଦ୍ଧ । ଇସ୍ରାଏଲ ଉପରେ ବଡ଼ଧରଣର ଆକ୍ରମଣ କଲା ଇରାନ । ଇସ୍ରାଏଲ ଉପରେ ଇରାନ ଘନଘନ ମିସାଇଲ ଆକ୍ରମଣ କରିଛି । ଶତାଧିକ ବାଲିଷ୍ଟିକ ମିସାଇଲ ନିକ୍ଷେପ କରିଛି ଇରାନ । ଇସ୍ରାଏଲରେ ଇରାନ କ୍ଷେପଣାସ୍ତ୍ର ପହଞ୍ଚିବା ପରେ ବାଜି ଉଠିଛି ସାଇରନ । ତେଲ ଆଭିବର ସମସ୍ତ ନାଗରିକଙ୍କୁ ବୋମା ଆଶ୍ରୟସ୍ଥଳକୁ ପଠାଯାଇଛି । ସୁରକ୍ଷିତ ଭାବେ ବମ୍ବ ସେଲଟରକୁ ଯିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସାଧାରଣ ନାଗରିକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ସତର୍କତା ଜାରି କରିଛି ଇସ୍ରାଏଲ ସେନା ।
ଏପଟେ ସ୍ଥିତିକୁ ଦେଖି ରାଷ୍ଟ୍ରୀୟ ସୁରକ୍ଷା ଟିମ୍ ସହ କଥା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଇସ୍ରାଏଲକୁ ସୁରକ୍ଷା ସହାୟତା ନେଇ ଆଲୋଚନା ହୋଇଛି । ଇରାନ ଏହାର ଭୟଙ୍କର ପରିଣାମ ଭୋଗିବ ବୋଲି ଇସ୍ରାଏଲ ଧମକ ଦେଇଛି । ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ଆମେରିକା ବି ଚେତାଇଦେଇଛି । ଇରାନର ବଡ଼ଧରଣର ଆକ୍ରମଣ ନେଇ ପୂର୍ବରୁ ଆମେରିକାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ । ଏପଟେ ହିଜବୁଲ୍ଲା ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଇସ୍ରାଏଲ ଲେବାନନରେ ପ୍ରବେଶ କରିଛି । ଆମେରିକା କହିଛି ଇସ୍ରାଏଲ ଆକ୍ରମଣ ବିଷୟରେ ଆମକୁ ଅବଗତ କରାଇଛି । ଆକ୍ରମଣ ପାଇଁ ଇସ୍ରାଏଲ ସେନାକୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି । ଆମେରିକା ଏବଂ ମଧ୍ୟ ଏସିଆର କିଛି ଦେଶ ଏହି ଆକ୍ରମଣରେ ଇସ୍ରାଏଲକୁ ସମର୍ଥନ କରିବେ ବୋଲି କହିଛନ୍ତି । ଆମେରିକା ଇସ୍ରାଏଲର ଆତ୍ମରକ୍ଷା ଅଧିକାରକୁ ସମର୍ଥନ କରୁଛି ।