କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ବିଜେଡି, ବିଜେପି ପ୍ରାର୍ଥୀଙ୍କୁ ଭାରି ପଡ଼ିବ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଉପରେ ରାଜନୈତିକ ଦଳଗୁଡ଼ିକର ଫୋକସ୍ ରହିଛି । କେନ୍ଦ୍ରାପଡ଼ା ଜିଲାରେ ୪ର୍ଥ ତଥା ଶେଷ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏହି କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନମଣ୍ଡଳୀ ଅଧୀନ ୭ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାକୁ ସବୁ ଦଳର ହେଭିଓ୍ବେଟଙ୍କ ଭିଡ଼ ଜମୁଛି । ଆଜି ପାଟକୁରାରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପ୍ରଚାର ପାଇଁ ବରିଷ୍ଠ ନେତା ଦିଲ୍ଲୀପ ରାୟ ପହଞ୍ଚିଥିବା ବେଳେ ଅନ୍ୟ ଦଳର ବରିଷ୍ଠମାନେ ମଧ୍ୟ ପ୍ରଚାର କାର୍ଯ୍ୟ ଜୋରଦାର ଚଳାଇଛନ୍ତି ।
ଅପରପକ୍ଷେ ଜିଲାରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ କଂଗ୍ରେସରେ ଗୋଷ୍ଠୀ କନ୍ଦଳ କମ୍ ରହିଛି । ଆଳିରେ ଅସନ୍ତୁଷ୍ଟ ବିଜେପି ନେତ୍ରୀ ସୁଜାତା ବାରିକ, ରାଜନଗରରେ ଦଳୀୟ ନେତା ଅଜୟ ବେହେରା ଓ କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରରେ ଦଳୀୟ ନେତ୍ରୀ ଊର୍ମିଳା ସେଠୀଙ୍କ ପ୍ରାର୍ଥୀ ହେବା ବିଜେପି ପାଇଁ ସମସ୍ୟା ସୃଷ୍ଟି କରିଛି । ସେହିପରି ମହାକାଳପଡା ନିର୍ବାଚନ ମଣ୍ଡଳୀରେ ବିଜେପି ବିଜୟ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବାରୁ ବହୁ ଅସନ୍ତୋଷ ଦେଖିବାକୁ ମିଳିଥିଲା । ସେହିପରି ବିଜେଡିର ଲୋକସଭା ପ୍ରର୍ଥୀ ଅନୁଭବ ମହାନ୍ତି ଓ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କେନ୍ଦ୍ରାପଡ଼ା ପାଇଁ ନୂଆ ମୁହଁ । ଏଠାରେ ପୁରୁଣା ସଂଗଠକମାନେ ନିର୍ବାଚନକୁ ଆଗେଇ ନେବା କଥା । କିନ୍ତୁ ପାଟକୁରା ବିଧାନସଭା ଆସନରେ ବେଦପ୍ରକାଶଙ୍କୁ ବିଜେଡ଼ି ଟିକେଟ ଦେବା ପରେ ଏହାକୁ ବିରୋଧରୁ ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି । ପାଟକୁରା ନିର୍ବାଚନ ମଣ୍ଡଳୀରେ ନିଶ୍ଚୟ ଏହାର ପ୍ରଭାବ ପଡ଼ିବ । ମଙ୍ଗଳବାର ସନ୍ଧ୍ୟାରେ ବିଜେଡି ସଂଖ୍ୟାଲଗୁ ସେଲର ବହୁ କର୍ମୀ ଦଳୀୟ ପଦବୀ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏସବୁ ସ୍ଥିତିରେ କେବଳ ଦଳୀୟ ରଣନୀତି ହିଁ ପ୍ରାର୍ଥୀଙ୍କୁ ଜିତିବା ପାଇଁ ସହାୟକ ହେବ ।