କାଳିଆ ଯୋଜନା ବନ୍ଦ କରିବାକୁ କେନ୍ଦ୍ର କରୁଛି ଚକ୍ରାନ୍ତ: ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୮ ତାରିଖରେ ହେବାକୁ ଥିବାରୁ ଆଜି ତାର ଶେଷ ପ୍ରଚାର । ତେଣୁ ସବୁଦଳ ମତଦାତାଙ୍କୁ ନିଜ ସପକ୍ଷରେ ମତଦାନ କରିବାକୁ ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି । ଏଥର ବିଜେଡିର ଷ୍ଟାର ପ୍ରଚାରକ ସାଜିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଗତକାଲି ବଲାଙ୍ଗୀରରେ ଦିନରେ ଓ ରାତିରେ ପ୍ରଚାର କରିବା ପରେ ଆଜି ପୁଣି ବରଗଡରେ ପ୍ରଚାର ଆରମ୍ଭ କରିଛନ୍ତି ନବୀନ । ସେ ନିଜ ନିର୍ବାଚନ ମଣ୍ଡଳୀ ତଥା ବିଜେପୁରରେ ମଧ୍ୟ ପ୍ରଚାର କରିଛନ୍ତି ।

ବିଜେପୁରରେ ଆୟୋଜିତ ସାଧାରଣସଭାରେ ଯୋଗ ଦେଇ କବି ଗଙ୍ଗାଧର ମେହେରଙ୍କ ପବିତ୍ର ମାଟିକୁ ମୋର ନମସ୍କାର କହି ମୁଖ୍ୟମନ୍ତ୍ରୀ ନିଜ ଭାଷଣ ଆରମ୍ଭ କରିବା ସହ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ‘କାଳିଆରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି । ହେଲେ କେନ୍ଦ୍ର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ବିଜେପୁରର ବିକାଶ ମୋର ଦାୟିତ୍ୱ । ଆପଣମାନେ ମୋର ପରିବାର ।’

ଗତ ଉପ ନିର୍ବାଚନ ସମୟରେ ଆପଣମାନଙ୍କର ସ୍ନେହ ଓ ଆଦର ମୋତେ ବହୁତ ଭଲ ଲାଗିଥିଲା । ଆପଣଙ୍କ ଅନୁରୋଧ ରକ୍ଷାକରି ମୁଁ ଏଠାରୁ ନିର୍ବାଚନ ଲଢିବାକୁ ନିଷ୍ପତି ନେଲି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଗତ ଉପ ନିର୍ବାଚନ ପରି ଆପଣମାନେ ବିଧାୟକ ପ୍ରାର୍ଥୀ ଭାବେ ମୋତେ ଏବଂ ସାଂସଦ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଆଶୀର୍ବାଦ କରି ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ମୋର ନିବେଦନ ।

Leave a comment