କୃଷି ଯୋଜନାର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଓ 

କୃଷକ ହେଲପ୍‌ଲାଇନ୍‌ ନମ୍ବରରେ ପ୍ରତିନିଧିଙ୍କ ସହ କଥାହେଲେ 

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି କୃଷି ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ସିଂହଦେଓ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ସହିତ କାର୍ଯ୍ୟକ୍ରମଗୁଡିକୁ ସମ୍ପ୍ରସାରିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ବିଭିନ୍ନ ଯୋଜନାର ସମୀକ୍ଷା ଅବସରରେ ଉପ ମୁଖ୍ୟମନ୍ତ୍ରୀ ପିଏମ୍‌ କିଷାନ, ଡିଜିଟାଲ ଫସଲ ସର୍ଭେ ଏବଂ କୃଷି କ୍ଷେତ୍ରରେ ନୂତନ ସରକାରଙ୍କ ପ୍ରାଥମିକତା ତଥା ନିଆ ଯାଇଥିବା ପଦକ୍ଷେପ ବିଷୟରେ ସମୀକ୍ଷା କରିଥିଲେ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଏବଂ ବିଭାଗର ସମସ୍ତ ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ମାନ୍ୟବର ଉପମନ୍ତ୍ରୀ ପ୍ରଭାବଶାଳୀ ପ୍ରଶାସନ ପାଇଁ ଜ୍ଞାନ ଆଦାନପ୍ରଦାନ (କେ-ଏସଇଏ) ଶୀର୍ଷକ ଇ-ପୁସ୍ତିକା ଉନ୍ମୋଚନ କରିଥିଲେ । ଏହି ପୁସ୍ତିକା ଯେପରି ବିଭାଗର ସମସ୍ତ ଅଧିକାରୀ ତଥା ଅନ୍ୟାନ୍ୟ ବିଭାଗ ନିକଟରେ ପହଞ୍ଚି ରେଫରେନ୍ସ ଓ ଅନୁଧ୍ୟାନ ପାଇଁ ଉପାଦେୟ ହୋଇପାରିବ ସେ ଦିଗରେ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢୀ ମାନ୍ୟବର ମନ୍ତ୍ରୀ ଓ ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ପ୍ରାରମ୍ଭରେ କୃଷି ବିଭାଗର ନିର୍ଦ୍ଦେଶକ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ କାଳିଆ ଓ ପିଏମ୍‌ କିଷାନ ଯୋଜନାର ପୃଷ୍ଠଭୂମି ଓ ରୂପରେଖ ସମ୍ବନ୍ଧରେ ବିସ୍ତୃତ ଭାବେ ତଥ୍ୟ ପ୍ରଦାନ କରିଥିଲେ । ସେ ଉକ୍ତ ଯୋଜନାର ସବିଶେଷ ତଥ୍ୟ ଉପସ୍ଥାପନ ପୂର୍ବକ ଏହାର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ । ପ୍ରମୁଖ ଶାସନ ସଚିବ ଏହି ଯୋଜନାର ପରିବର୍ଦ୍ଧିତ କାର୍ଯ୍ୟାନ୍ୱୟନ ନିମନ୍ତେ ବିଭିନ୍ନ ପ୍ରସ୍ତାବ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କ ନିଷ୍ପତ୍ତି ଲୋଡ଼ିଥିଲେ । ମାନ୍ୟବର ମନ୍ତ୍ରୀ ବିଶୃଙ୍ଖଳିତ ତଥା ଦୋଷୀ ଅଧିକାରୀଙ୍କ ବିରୋଧରେ ନିଆ ଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପଚାରି ବୁଝିଥିଲେ ।

ଯୋଜନାଗୁଡିକର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବା ଦରକାର ବୋଲି ଉଲ୍ଲେଖ କରି କୌଣସି ବିସଙ୍ଗତି ବା ଠକେଇ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ଡିଜିଟାଲ ଫସଲ ସର୍ବେକ୍ଷଣର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା ଏବଂ ଏ ଦିଗରେ ନିର୍ଦ୍ଦେଶକ କୃଷକମାନଙ୍କୁ ବ୍ୟକ୍ତିଗତ ସେବା ପ୍ରଦାନରେ ସକ୍ଷମ କରାଇବା ଉପରେ ଗୁରୁତ୍ୱା ଆରୋପ କରାଯାଇଥିଲା । ଖରିଫ-୨୦୨୩ ରେ ଡିଜିଟାଲ ଫସଲ ସର୍ବେକ୍ଷଣର ପାଇଲଟ ପର୍ଯ୍ୟାୟରେ ସଫଳତା

ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା । ଡିଜିଟାଲ ଫସଲ ସର୍ବେକ୍ଷଣ ଖରିଫ-୨୦୨୩ରୁ ମିଳିଥିବା ଶିକ୍ଷା ଆଧାରରେ ଖରିଫ-୨୦୨୪ରେ ରାଜ୍ୟର ୩୦ଟି ଜିଲ୍ଲାରେ ଏହା କରାଯିବ । ଡିଜିଟାଲ ଫସଲ ସର୍ବେକ୍ଷଣ ପାଇଁ ଏକ ମୋବାଇଲ ଆପ୍ଲିକେସନ ଏବଂ େୱବପୋର୍ଟାଲର ବିକାଶ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

କୃଷି କ୍ଷେତ୍ର ପାଇଁ ନୂଆ ସରକାରଙ୍କ ପ୍ରାଥମିକତାକୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଗ୍ରହଣ କରିବା ସହ ସମୀକ୍ଷା ବୈଠକ ଆଗକୁ ବଢ଼ିଥିଲା । ଓଡ଼ିଶା ମିଲେଟ୍‌ ମିଶନ ସମେତ ବିଭାଗର ପ୍ରୟାସ ଯୋଗୁଁ ମିଳିଥିବା ସଫଳତାର କାହାଣୀ ସମ୍ପର୍କରେ ପ୍ରମୁଖ ଶାସନ ସଚିବ ମାନ୍ୟବର ମନ୍ତ୍ରୀକୁ ଅବଗତ କରାଇଥିଲେ । କୋଭିଡ୍‌-୧୯ ମହାମାରୀ ସମୟରେ ନିଜ ସହରରେ ଚାଷ କରିବାର ଅଭିଜ୍ଞତା ବାଣ୍ଟି ମାନ୍ୟବର ମନ୍ତ୍ରୀ କୃଷି ବିଭାଗର ଅଂଶ ହୋଇଥିବାରୁ ଆନନ୍ଦ ପ୍ରକାଶ କରିଥିଲେ । କୃଷକ ହେଲ¬ ଲାଇନ ନମ୍ବର ୧୫୫୩୩୩ ଜରିଆରେ ଚାଷୀଙ୍କୁ ଚାଷ ଓ ପାଣିପାଗ ସମ୍ବନ୍ଧୀୟ ଜ୍ଞାନ ପ୍ରସାର ଓ ପରାମର୍ଶ ପ୍ରଦାନ କରୁଥିବା ଆମ କୃଷି ସମ୍ପର୍କରେ ଜାଣିବା ପରେ ମାନ୍ୟବର ମନ୍ତ୍ରୀ ତକ୍ଷଣାତ ହେଲ¬ଲାଇନ ନମ୍ବରକୁ ଫୋନ୍‌ କରି ଚାଷୀଙ୍କୁ ଦିଆ ଯାଉଥିବା ସେବା ଓ ସମାଧାନ ବିଷୟରେ ବୁଝିବା ପାଇଁ ଆମ କୃଷି ପ୍ରତିନିଧିଙ୍କ ସହ କଥା ହୋଇଥିଲେ ।

କୃଷି ଆମ ଦେଶ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ପ୍ରତିପାଦନ କରିବା ସହିତ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ କୃଷିକ୍ଷେତ୍ରରେ ପ୍ରତ୍ୟେକ ପରିବାରକୁ ପ୍ରୋତ୍ସାହିତ ଓ ସାମିଲ କରିବା ପାଇଁ ଆମକୁ ପ୍ରୟାସ କରିବାର ଆବଶ୍ୟକତା ରହିଛି । ଲୋକମାନେ ଏଥିରୁ ଦୂରେଇ ଯାଉଛନ୍ତି ଏବଂ ଆମେ ସେମାନଙ୍କୁ ଶିଖାଇବା ଏବଂ ଜୀବିକା ଅର୍ଜନ କରିବାରେ ସକ୍ଷମ କରାଇବାର ଆବଶ୍ୟକତା ରହିଛି ।

ଆନ୍ତଃରାଜ୍ୟ ସ୍ଥାନାନ୍ତରକୁ ରୋକିବା ପାଇଁ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଉପରେ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ ସମସ୍ତ ଅଧିକାରୀ ଯନିବାନ ହେବା ଆବଶ୍ୟକ । ସମାଜର ଶେଷ ବର୍ଗର ଲୋକଙ୍କ ପାଖରେ ପହଞ୍ଚିବାର ଲକ୍ଷ୍ୟ ନେଇ ସେ ବିଭାଗୀୟ ଅଧିକାରୀମାନଙ୍କ ସହଯୋଗ ଲୋଡ଼ିବା ସହିତ କହେଲେ ଯେ, ମୁଁ ଆପଣଙ୍କ ଟିମିର ଏକ ଅଂଶ । ଆମେ ଏକାଠି ଏକ ଦଳ ଭାବେ କାମ କରିବା ଏବଂ ପ୍ରତିଶ୍ରୁତି ପୂରଣ କରିବା, କୃଷକ ସମସ୍ୟାର ସମାଧାନ କରିବା ଏବଂ ଏହି ମିଶନକୁ ଆହୁରି ଆଗକୁ ନେବାର ପ୍ରୟାସ ଜାରି ରଖିବା ।

ଏହି ସମୀକ୍ଷା ବୈଠକରେ ପ୍ରମୁଖ ଶାସନ ସଚିବ ଡ. ପାଢୀ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ରାଜ୍ୟର କୃଷି କ୍ଷେତ୍ର ପ୍ରତି ତାଙ୍କର ଦୃଷ୍ଟିକୋଣକୁ ସାକାର କରିବାରେ କୃଷି ବିଭାଗର ପୂର୍ଣ୍ଣ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Leave a comment