୨୨ରେ ଲଘୁଚାପ, ୨୪ରେ ଅବପାତର ରୂପ ନେବ !
ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ କାଲି ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଉତର-ପୂର୍ବ ଦିଗକୁ ଗତି କରିବା ସହିତ ୨୪ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେଇ ଉତର-ପୂର୍ବ ଦିଗକୁ ଗତି କରିପାରେ । ଏହାର ପ୍ରଭାବରେ ୨୧ତାରିଖରୁ ସମୁଦ୍ର ଅଶାନ୍ତ ହେବା ଆରମ୍ଭ ହେବ । ୨୩ତାରିଖଠାରୁ ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି ।
ସମୁଦ୍ରରେ ଥିବା ମତ୍ସଜୀବୀଙ୍କୁ ୨୩ତାରିଖ ପୂର୍ବରୁ ଉପକୂଳକୁ ଫେରି ଆସିବା ସହ ୨୪ତାରିଖରେ ଉତର ବଙ୍ଗୋପସାଗରରେ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଆଗାମୀ ୫ଦିନରେ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୨୪ଘଂଟାରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଂଜ ଆଲର୍ଟ ଜାରି କରାଯାଇଛି । କାଲିଠାରୁ ବର୍ଷା, ପବନ, ଘଡ଼ଘଡ଼ି ଲାଗି ରହିବ ।
୨୫ତାରିଖରେ ଉତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବ । ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ନେଇ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ କିଛି ଆକଳନ କରିନାହିଁ । ଘଡ଼ଘଡ଼ି ବର୍ଷା ହେବା ବେଳେ ୩୦-୪୦କିଲୋମିଟର ବେଗରେ ପବନ ବହିପାରେ ।
ବର୍ତମାନ ଖରା ସହ ଗୁଳୁଗୁଳି ଜାରି ରହିଥିବା ବେଳେ ୭ରୁ ୮ଟି ସହରରେ ୪୦ଡିଗ୍ରୀରୁ ଅଧିକ ତାପମାତ୍ରା ରହିଛି । ବର୍ତମାନ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ନଥିବା ବେଳେ କେବଳ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପାମତ୍ରା ୪୦ଡିଗ୍ରୀ ଉପରେ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।