ନିର୍ବାଚନୀ ହିଂସା, ଚିକିଟି ବିଧାୟକ ପ୍ରାର୍ଥୀ ଆହତ ଓ ବିଧାୟକ ପ୍ରାର୍ଥୀଙ୍କ ସମ୍ପର୍କୀୟ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଥମ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ରାଜ୍ୟରେ କିଛି ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ଚିକିଟିରେ ବିଧାୟକ ପ୍ରାର୍ଥୀଙ୍କୁ ମାଡ ମରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ପ୍ରାର୍ଥୀଙ୍କ ସମ୍ପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ସେହିପରି କେତେକ ସ୍ଥାନରେ ଇଭିଏମ ତ୍ରୁଟି ଯୋଗୁଁ ଭୋଟ ଗ୍ରହଣରେ ବିଳମ୍ବକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଏହିପରି କେତେକ ଘଟଣାକୁ ଛାଡି ପ୍ରାୟତଃ ଶାନ୍ତିଶୃଙ୍ଖଳାର ସହ ପ୍ରଥମ ଭୋଟ ଗ୍ରହଣ ଶେଷ ହୋଇଛି।

ସୂଚନା ଅନୁସାରେ, ଭୋଟ ଗ୍ରହଣ ବେଳେ ବୁଥ ବୁଲିବାକୁ ଯାଇଥିବା ଚିକିଟିର ବିଜେପି ବିଧାୟକ ପ୍ରାର୍ଥୀ ମନୋରଂଜନ ସାମନ୍ତରାୟଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ସେ ଝାଟିଆପଦର ୮୨ ନମ୍ବର ବୁଥକୁ ଯାଇଥିବା ବେଳେ ବିରୋଧି ଗୋଷ୍ଠୀର କିଛି ସମର୍ଥକ ତାଙ୍କୁ ଗାଳିଗୁଳଜ କରିବା ସହ ମାଡ ମାରିଥିଲେ । ସେହିପରି ୧୮ ନମ୍ବର ବୁଥରେ ଏଜେଂଟକୁ ପୁରାଇ ଦିଆଯାନଥିଲା । କେବଳ ଚିକିଟି ନୁହେଁ ବରଂ କୋରାପୁଟର ୧୫୯ ବୁଥରେ ବିଜେପି ଏଜେଂଟକୁ ଲୋକେ ତାଲା ପକାଇ ଦେଇଥିଲେ ।

ସେହିପରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ବିଧାୟକ ପ୍ରାର୍ଥୀଙ୍କ ସମ୍ପକୀୟଙ୍କୁ ଆକ୍ରମଣ କରାଯାଇଛି । ଭଞ୍ଜନଗର ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକଙ୍କ ଭଣଜା ଅଜିତ ପ୍ରଧାନଙ୍କୁ ଦୁର୍ବୃତ୍ତମାନେ ଖଣ୍ଡା ଓ ଭୂଜାଲିରେ ଆକ୍ରମଣ କରାଯାଇଥିଲା । ଦୁର୍ବୃତ୍ତଙ୍କ ଆକ୍ରମଣରେ ଅଜିତ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ବୁଧବାର ରାତିରେ କୌଣସି କଥାକୁ ନେଇ ଦୁଇ ରାଜନୈତିକ ଦଳ ସମର୍ଥକ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାକୁ କେନ୍ଦ୍ର କରି ତୁରୁମୁ ଗାଁର କିଛି ଲୋକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାବ୍ୟତୀତ ଅନ୍ୟ କେତେକ ସ୍ଥାନରେ ଛୋଟମୋଟ ଗଣ୍ଡଗୋଳ ଓ ଉତେଜନା ପ୍ରକାଶ ପାଇଥିଲା । ପୁଲିସ ସେଠାରେ ପହଞ୍ଚି ପରିସ୍ଥତିକୁ ନିୟନ୍ତ୍ରଣ କରିଥିଲା ।

Leave a comment