୯୭ ଲକ୍ଷ ହଡପ ମାମଲା : ଟଙ୍କାରେ କରୁଥିଲେ ମଉଜ ମସ୍ତି

ଭୁବନେଶ୍ୱର : କଲେଜ ଆକାଉଣ୍ଟରୁ ୯୭ ଲକ୍ଷ ଟଙ୍କା ହଡ୍ପ କରି ଲେଡି ଆକାଉଣ୍ଟାଣ୍ଟ ପାୟଲ ଓ ବୟଫ୍ରେଣ୍ଡ ବିକାଶ କରୁଥିଲେ ମଉଜ ମସ୍ତି । କାଶ୍ମୀର, ସୀମ୍ଲା , ଜୟପୁର ଆଦି ବିଭିନ୍ନ ସ୍ଥାନକୁ ଯାଇ ବୁଲିଥିଲେ । ବିଳାସ ପୂର୍ଣ୍ଣ ହୋଟେଲେରେ ରହୁଥିଲେ । ଉଭୟଙ୍କର ବ୍ୟାଙ୍କ୍ ଆକାଉଣ୍ଟର ଯାଞ୍ଚ ଚାଲିଛି । ପେମେଣ୍ଟ GATEWAYକୁ ଚିଠି ଲେଖିଛି କମିଶନରେଟ ପୋଲିସ । ଅନ୍ଲାଇନ୍ ଟ୍ରାଞ୍ଜାକସନ୍ ନେଇ ଚାଲିଛି ଖୋଳତାଡ଼। ଉଭୟଙ୍କ ରିମାଣ୍ଡ ପାଇଁ ଆବେଦନ କରିବ ତମାଣ୍ଡୋ ଥାନା ପୋଲିସ।
ଗତକାଲି ଝାଡ଼ଖଣ୍ଡରୁ ପାୟଲଙ୍କ ବୟଫ୍ରେଣ୍ଡ ବିକାଶକୁ ଗିରଫ କରିଥିଲା ତମାଣ୍ଡୋ ପୋଲିସ । ବିକାଶକୁ ୩ ଦିନିଆ ଟ୍ରାନ୍ଜିଟ୍ ରିମାଣ୍ଡରେ ଆଣିଛି କମିଶନରେଟ୍ ପୋଲିସ । ପୂର୍ବରୁ ପାୟଲ ଗିରଫ ହୋଇଥିଲେ। ଅପରପକ୍ଷେ ପ୍ରେମିକ ଓ ପ୍ରେମିକାଙ୍କ ବୟାନରେ ତାଳମେଳ ରହୁ ନଥିବାରୁ ପୋଲିସ ଉଭୟଙ୍କୁ ମୁହାଁମୁହିଁ ଜେରା କରିବ।
ଭୁବନେଶ୍ୱରର ଏକ ଘରୋଇ କଲେଜର ଲେଡି ଆକାଉଣ୍ଟାଣ୍ଟ ଭାବେ କାମ କରୁଥିବା ପାୟଲ ବୟଫ୍ରେଣ୍ଡ ଆକାଉଣ୍ଟକୁ ବର୍ଷକ ଭିତରେ ୯୭ ଲକ୍ଷ ଟଙ୍କା ଫୋନ୍ ପେ ଜରିଆରେ ପଠାଇଥିଲେ । ଟଙ୍କା ଗାଏବ ନେଇ କଲେଜ କର୍ତ୍ତୃପକ୍ଷ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ପାୟଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପାୟଲଙ୍କ ଠାରୁ ତଥ୍ୟ ପାଇ ବିକାଶକୁ ଝାଡଖଣ୍ଡରୁ କାବୁ କରିଥିଲା ପୋଲିସ।