ଦୁଇ ସ୍କୁଲ ଛାତ୍ରଙ୍କ ଆକାଉଣ୍ଟକୁ ଆସିଲା ୯୬୦ କୋଟି ଟଙ୍କା
ଓଡ଼ିଶା ଫାଷ୍ଟ(ବ୍ୟୁରୋ) ଦୁଇ ସ୍କୁଲ ଛାତ୍ରଙ୍କ ଆକାଉଣ୍ଟକୁ ହଠାତ ଆସିଲା ୯୬୦ କୋଟି ଟଙ୍କା । ଯାହାକୁ ନେଇ ବ୍ୟାଙ୍କ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହି ଘଟଣା ବିହାର କୋଟିହାରରେ ଘଟିଛି । ଏହି ମାମଲା ସାମ୍ନାକୁ ଆସିବା ପରେ ଅନ୍ୟ ଲୋକମାନେ ବି ନିଜ ଆକାଉଣ୍ଟ ଚେକ୍ କରିବାରେ ଲାଗିଛନ୍ତି । ଏପରିକି ବ୍ୟାଙ୍କ ଆଗରେ ଲୋକଙ୍କର ଲମ୍ବା ଲାଇନ୍ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ବିହାର ସରକାରଙ୍କ ଦ୍ୱାରା ସ୍କୁଲ ଡ୍ରେସ୍ ପାଇଁ ପଠାଯାଇଥିବା ଟଙ୍କା ବିଷୟରେ ଚେକ୍ କରିବାକୁ ଆଜମନଗର ଥାନା ଅନ୍ତର୍ଗତ ପସ୍ତିଆ ଗାଁର ୨ ସ୍କୁଲ ଛାତ୍ର ଏସବିଆଇର ସିଏସପି ସେଣ୍ଟରରେ ପହଞ୍ଚିଥିଲେ । କିନ୍ତୁ ଦୁହେଁ ଆକାଉଣ୍ଟ ଚେକ୍ କରି ଆଶ୍ଚର୍ଯ୍ୟ ହୋଇଥିଲେ, କାରଣ ଦୁହିଁଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମା ହୋଇଥିଲା ।
ଦୁହିଁଙ୍କ ଆକାଉଣ୍ଟକୁ ପ୍ରାୟ ୯୬୦ କୋଟି ଟଙ୍କା ଆସିଥିଲା । ଗୁରୁଚନ୍ଦ୍ର ନାମକ ଛାତ୍ରଙ୍କ ଆକାଉଣ୍ଟରେ ୬୦ କୋଟି ଓ ଅସିତ କୁମାର ନାମକ ଛାତ୍ରଙ୍କ ଆକାଉଣ୍ଟରେ ସର୍ବାଧିକ ୯୦୦ କୋଟି ଟଙ୍କା ଜମା ହୋଇଛି । ଏହା ଶୁଣି ଛାତ୍ରଙ୍କ ସମେତ ସେଠାରେ ଥିବା ବ୍ୟାଙ୍କ କର୍ମଚାରୀ ବି ଆଶ୍ଚର୍ଯ୍ୟ ହୋଇଥିଲେ । ଘଟଣାକୁ ନେଇ ଏବେ ଯାଞ୍ଚ ଚାଲିଥିବା ବେଳେ ବରିଷ୍ଠ ଅଧିକାରୀଙ୍କୁ ଏନେଇ ସୂଚନା ଦିଆଯାଇଛି ବୋଲି ବ୍ୟାଙ୍କ କର୍ମଚାରୀ କହିଛନ୍ତି ।