ସମବାୟ ବ୍ୟାଙ୍କରୁ ୯୨ କୋଟି ଲୁଟ୍‌

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣେଠାରେ ପ୍ରତିଷ୍ଠା ହୋଇଥିବା କସମସ ସମବାୟ ବ୍ୟାଙ୍କରୁ ହ୍ୟାକରମାନେ ୯୨.୪୪ କୋଟି ଟଙ୍କା ଲୁଟି ନେଇଛନ୍ତି । ଗଣେଶଖଣ୍ଡି ରୋଡ୍‌ଠାରେ ଥିବା ଏହି ବ୍ୟାଙ୍କ ମୁଖ୍ୟାଳୟ ସିଷ୍ଟମକୁ ଗତ ୧୧ ତାରିଖ ଅପରାହ୍ନ ୩ଟା ବେଳେ ଓ ୧୩ ତାରିଖ ୧୧.୩୦ରେ ପୁଣିଥରେ ହ୍ୟାକ କରାଯାଇଥିଲା । ହ୍ୟାକ କରି ଦୁର୍ବୃତ୍ତମାନେ ଗ୍ରାହକମାନଙ୍କ ଭିସା ଓ ରୁପେ କାର୍ଡର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନେଇ ଯିବାରେ ସକ୍ଷମ ହୋଇଥିଲେ । ହ୍ୟାକରମାନେ ୧୨ ହଜାର ଭିସା କାର୍ଡରୁ ୭୨ କୋଟି ଟଙ୍କା ଦେଶ ବାହାରର କେତେକ ଆକାଉଣ୍ଟକୁ ପଠାଇଥିବା ବେଳେ ଦେଶ ମଧ୍ୟରେ ୨.୫୦ କୋଟି ଟଙ୍କା ବିଭିନ୍ନ ଆକାଉଣ୍ଟକୁ ପଠାଇଛନ୍ତି । ଶନିବାର ବ୍ୟାଙ୍କ ସିଷ୍ଟମ ହ୍ୟାକ୍‌ ହେବା ଜଣାପଡିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେବା ପୂର୍ବରୁ ସୋମବାର ପୁଣିଥରେ ସିଷ୍ଟମ ହ୍ୟାକ୍‌ କରାଯାଇଥିଲା । ଏହି ସମୟରେ ସେମାନେ ପାଖାପାଖି ୧୩.୯୨ କୋଟି ଟଙ୍କା ହଂକଂ ସ୍ଥିତ ଏକ ଆକାଉଣ୍ଟକୁ ପଠାଇଥିଲେ । ତେବେ ଟଙ୍କା ପଠାଯିବା ସଙ୍ଗେ ସଙ୍ଗେ ସମସ୍ତ ଆକାଉଣ୍ଟରୁ ଟଙ୍କା ଉଠା ଯାଇଥିବା ଜଣାପଡିଛି । ପୋଲିସ ଏବେ ସାଇଣ୍ଟିଫିକ ଟିମ ଓ ସାଇବର କ୍ରାଇମ୍‌ ଟିମ୍‌ ଜରିଆରେ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଫଟୋ ସୌଜନ୍ୟ-ଗୁଗୁଲ

Leave a comment