ମଦ ମିଳିଲାନି, ସାନିଟାଇଜର ପିଇ ୯ଜଣଙ୍କ ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମଦ ନ ମିଳିବାରୁ ସାନିଟାଇଜର ପିଇ ୯ଜଣଙ୍କ ମୃତ୍ୟୁ ହୋଇଛି। ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲାରେ ଏଭଳି ଘଟଣା ଘଟିଛି।

ସୂଚନାଯୋଗ୍ୟ, ଲକ୍ଡ଼ାଉନ ଯୋଗୁଁ ଏହି ସହର ଓ ଏହାର ଆଖପାଖ ଗାଁରେ ମଦ ଦୋକାନ ବନ୍ଦ ରହିଛି । ମାତ୍ର ମଦ ଦୋକାନ ବନ୍ଦ ଯୋଗୁଁ ନିୟମିତ ମଦ୍ୟପାନ କରୁଥିବା ଲୋକମାନେ ବିକଳ୍ପ ଦୃଷ୍ଟିରୁ ସାନିଟାଇଜର ପିଇବା ଆରମ୍ଭ କରିଥିଲେ । ହାତ ପରିଷ୍କାର ନିମନ୍ତେ ବ୍ୟବହାର କରାଯାଉଥିବା ଏହି ସାନିଟାଇଜର ପିଇବା ଯୋଗୁଁ ୨ ଦିନରେ ୯ ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଏପରିକି ମୃତକଙ୍କ ମଧ୍ୟରେ ୩ ଜଣ ଭିକାରୀ ମଧ୍ୟ ଅଛନ୍ତି ।ଏମାନେ ଏକ ସ୍ଥାନୀୟ ମନ୍ଦିରରେ ଭିକ ମାଗୁଥିଲେ । ଗୁୁରୁବାର ରାତିରେ ସେମାନଙ୍କ ପେଟରେ ଅଚାନକ ଜଳାପୋଡ଼ା ଅନୁଭବ କରିଥିଲେ ଓ ଚିତ୍କାର କରି ଗଡ଼ିଥିଲେ । ଘଟଣାସ୍ଥଳ​‌ରେ ୨ ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା ଓ ଅନ୍ୟ ବ୍ୟକ୍ତିଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲେ ହେଁ ବାଟ​‌ରେ ମୃତ୍ୟୁବରଣ କରିଥିଲେ। ଅନ୍ୟଜଣେ ଯୁବକ ଦେଶୀ ମଦରେ ସାନିଟାଇଜର ମିଶାଇ ପିଇଥିଲେ ଓ ଏହାପରେ ସେ ଘରେ ବୋହୋସ ହୋଇ ଯାଇଥିଲେ । ଡ଼ାକ୍ତରଖାନାରେ ତାଙ୍କୁ ଭର୍ତି କରାଯାଇଥିଲା, ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଆଉ ୬ ଜଣ ଶୁକ୍ରବାର ତଡ଼କେ ଡ଼ାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ ଶ୍ରୀନୁ (୨୫), ତିରୁପତି (୩୭), କାଦିୟମ ରମେୟା (୨୯), ରମେୟା (୬୫), ରାଜି ରେଡ଼ି (୬୫), ବାବୁ (୪୦), ଚାର୍ଲସ (୪୫) , ଅଗଷ୍ଟିନ (୪୭)ଙ୍କୁ ପୁଲିସ ଚିହ୍ନଟ କରିଛି । ପୁଲିସ ଅଧୀକ୍ଷକ ସିଦ୍ଧାର୍ଥ କୌଶଳ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି । ଯେଉଁ ଦୋକାନରୁ ଏହି ଲୋକମାନେ ସାନିଟାଇଜର କିଣିଥିଲେ ସେହି ଦୋକାନର ସବୁ ସାନିଟାଇଜରକୁ ଜବତ କରାଯାଇଛି ଓ ରାସାୟନିକ ପରୀକ୍ଷା ନିମନ୍ତେ ପଠାଯାଇଛି ।

Leave a comment