୮ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜଧାନୀରେ ପୁଣି ଏକ ଲୋମହର୍ଷଣ ଘଟଣା ସାମ୍ନାକୁ ଆସିଛି । ଜଣେ ୮ ବର୍ଷର ନାବାଳିକାକୁ ଆଶ୍ରମରେ ଗଣଦୁଷ୍କର୍ମ କରାଯାଇଛି । ଏଭଳି ସାଙ୍ଘାତିକ ଘଟଣା ଘଟିଛି ଡୁମୁଡୁମାରେ ଥିବା ଏକ ଆଶ୍ରମରେ । ଏନେଇ ନାବାଳିକାର ମା’ ମହିଳା ଥାନାରେ ଏତଲା ଦେଇଛି । ପୁଲିସ୍‌ ମାମଲା ରୁଜୁ କରି ଚୁପ୍‌ ବସିଛି ।

ମିଳିଥିବା ସୂଚନା ଅନୁଯାୟୀ, ବାଲିପାଟଣା ଥାନା ମଝିହରା ଅଞ୍ଚଳର ଜୟନ୍ତୀ (ଛଦ୍ମନାମ, ୩୬ ବର୍ଷ) ଦୀର୍ଘ ୪ବର୍ଷ ହେବ ଡୁମୁଡୁମାସ୍ଥିତ ଏକ ଆଶ୍ରମକୁ ଯିବା ଆସିବା କରନ୍ତି । କିଛି ଦିନ ତଳେ ତାଙ୍କ ୮ ବର୍ଷର ଝିଅର ଦେହ ଖରାପ ହୋଇଥିଲା । ଝଡ଼ାଫୁଙ୍କା ସହ ଜଡ଼ିବୁଟି ପାଇଁ ସେ ଆଶ୍ରମର ବାବାଙ୍କ ପାଖକୁ ଯାଇଥିଲେ । ବାବା କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବାରୁ ମା’-ଝିଅ ତାଙ୍କୁ ଅପେକ୍ଷା କରିଥିଲେ । ଏହି ସମୟରେ ଝିଅକୁ ପାଚିଲା କଦଳୀ ଦେବାକୁ ଡାକି ନେଇଥିଲେ ଆଶ୍ରମର ୨ ଜଣ ସଦସ୍ୟ ଚିଣ୍ଟୁ ଓ ପପୁ । ଏକ ଘର ଭିତରେ ଝିଅକୁ ମୋବାଇଲ୍‌ରେ ଅଶ୍ଳୀଳ ଭିଡିଓ ଦେଖାଇବା ପରେ ଦୁଷ୍କର୍ମ କରିଥିଲେ । ଝିଅ କାନ୍ଦିବାରୁ ତାକୁ ଛାଡ଼ି ଦେଇଥିଲେ । ଯଦି ଏ ବିଷୟରେ ମୁହଁ ଖୋଲିବୁ ତା’ହେଲେ ଆଶ୍ରମରେ ବଳି ପକାଇ ଦେବୁ ବୋଲି ଚେତାବନୀ ଦେଇଥିଲେ ।

କିଛି ସମୟ ପରେ ଝିଅ ମା’ ପାଖକୁ ଯାଇ ଘରକୁ ପଳାଇବା ବୋଲି ଜିଦ୍‌ ଧରି କାନ୍ଦିଥିଲା । ତେଣୁ ଆଶ୍ରମରୁ ଝିଅକୁ ନେଇ ଜୟନ୍ତୀ ଘରକୁ ପଳାଇଥିଲେ । ଘରେ ମା’ ଆଗରେ ସବୁ ଘଟଣା କହିଥିଲା ପୀଡ଼ିତା । ଜୟନ୍ତୀ ଏ ଥାନାରୁ ସେ ଥାନା ହେଲା ପରେ ଶେଷରେ ମହିଳା ଥାନାରେ ଏତଲା ଦେଇଥିଲେ । ପୁଲିସ୍‌ କେସ୍‌ ନମ୍ବର ୫୯ରେ ମାମଲା ରଜୁ କରିଥିଲା । ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୭୬ (ଡି)/ ୩୫୪ (ଏ)/ ୫୦୬/ ୩୪ ଓ ପକ୍ସୋ ଆକ୍ଟ ଲାଗିଛି । ହେଲେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ନାବାଳିକାର ମା’ ଅଭିଯୋଗ କରିଛନ୍ତି ।

Leave a comment

You cannot copy content of this page