ଓଡ଼ିଶାରେ କେନ୍ଦ୍ରୀୟ ଟିମ, ତିତଲି କ୍ଷୟକ୍ଷତି ଆକଳନ କରିବ ୮ ଜଣିଆ ଟିମ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ‘ତିତଲି’ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଗତକାଲି ରାତିରେ କେନ୍ଦ୍ରୀୟ ଟିମ୍ ଓଡ଼ିଶାରେ ପହଞ୍ଚିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏସକେ ଶାହୀଙ୍କ ନେତୃତ୍ୱରେ ୮ଜଣିଆ ଟିମ୍ ବାତ୍ୟା ଓ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ ।

ସୂଚନା ଅନୁଯାୟୀ, ଏହି ଟିମ୍ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ। ସେମାନେ ବାତ୍ୟା ଓ ବନ୍ୟା ପ୍ରଭାବିତ ଜିଲ୍ଲା ଗସ୍ତ କରିବା ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସଙ୍ଗେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ଟିମରେ ଅନ୍ୟମାନଙ୍କ ମଧ୍ୟରେ ଶକ୍ତି ମନ୍ତ୍ରଣାଳୟର ମୁଖ୍ୟଯନ୍ତ୍ରୀ ବନ୍ଦନା ସିଂଘାଲ, ସଡ଼କ ପରିବହନ ଓ ଜାତୀୟ ରାଜପଥର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ନିର୍ଦ୍ଦେଶକ ରାକେଶ କୁମାର, ଭୁବନେଶ୍ୱରସ୍ଥିତ ସିଡବ୍ଲ୍ୟୁସି ଆଞ୍ଚଳିକ କାର୍ଯ୍ୟାଳୟର ଅଧୀକ୍ଷଣ ଯନ୍ତ୍ରୀ ସୁଶାନ୍ତ କୁମାର ସାମଲ, କୃଷି ଓ ସମବାୟ ମନ୍ତ୍ରଣାଳୟ ନିର୍ଦ୍ଦେଶକ ବୀରେନ୍ଦର ସିଂହ, ପାନୀୟ ଜଳ ଯୋଗାଣ ଓ ପରିଚ୍ଛନ୍ନତା ବିଭାଗର ବରିଷ୍ଠ କନସଲଟାଣ୍ଟ ଜିଆର ଜାଗର, ଅର୍ଥ ମନ୍ତ୍ରଣାଳୟର ଆର.ବି କୌଲ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅନୁସଚିବ ଗୁଲଜାରୀ ଲାଲ ସାମିଲ ଅଛନ୍ତି।

Leave a comment