ମିନି ବସ ଓ ଜିପ ଧକ୍କା, ୮ ମୃତ ୧୨ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜସ୍ଥାନର ସିକର ଜିଲ୍ଳାରେ ଗତକାଲି ରାତିରେ ଏକ ମିନି ବସ ଓ ଜିପ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ବାସିନ୍ଦା ଆହତମାନଙ୍କୁ ଉଦ୍ଧାର କରିବା ସହ ଖାଟୁଶ୍ୟାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଗୁରୁତର ଆହତମାନଙ୍କୁ ଜୟପୁରସ୍ଥିତ ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ରାଜସ୍ଥାନର ସିକର ଜିଲ୍ଳାର ଖାଟୁଶ୍ୟାମ ଥାନା ଅନ୍ତର୍ଗତ ଚୋମୁ ପୁରୋହିତାନ ଗ୍ରାମ ନିକଟ ଏକ ମିନିବସ ଓ ଜିପ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ୮ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ଖବର ପାଇ ଖାଟୁଶ୍ୟାମ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି । ଉଭୟ ଗାଡ଼ି ଖୁବ ଦ୍ରୁତ ଗତିରେ ଆସୁଥିବା ଯୋଗୁଁ ହିଁ ଏହି ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।