ପ୍ରକୃତ ଆୟ ଠାରୁ ୭୪୧ ପ୍ରତିଶତ ବହିର୍ଭୂତ ସମ୍ପତ୍ତି; ଜେଲ୍ ଗଲେ ଯନ୍ତ୍ରୀ

0

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି । ତାଙ୍କ ନିକଟରୁ ସମୁଦାୟ ୫କୋଟି ୮୨ହଜାର ୭୯୪ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି । ଯାହାର ସେ ହିସାବ ଦେଖାଇପାରିନାହାନ୍ତି । ଏହା ତାଙ୍କର ପ୍ରକୃତ ଆୟ ଠାରୁ ୭୪୧ପ୍ରତିଶତ ଅଧିକା ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଅଭିଯୁକ୍ତ କାର୍ତ୍ତିକେଶ୍ୱରଙ୍କ ନାମରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନଂ.୮/୨୦୨୨ରେ ଏକ ମାମଲା ରୁଜୁ କରାଯାଇଛି । ତାଙ୍କୁ ଶୁକ୍ରବାର ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା । ତେବେ ଜାମିନ ନାମଞ୍ଜୁର ହେବାରୁ କାର୍ତ୍ତିକେଶ୍ୱରଙ୍କୁ ଏପ୍ରିଲ ୨୧ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ କୋର୍ଟ ପଠାଇଛନ୍ତି ।

ସୂଚନା ଅନୁଯାୟୀ, କାର୍ତ୍ତିକେଶ୍ୱରଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା । ଏନେଇ ଭିଜିଲାନ୍ସ ପକ୍ଷରୁ ଗତ ବୁଧବାର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ମାଇନର୍ ଇରିଗେସନ୍ କଲୋନୀସ୍ଥିତ ସରକାରୀ ବାସଭବନ, ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ୱର ଗ୍ରାମରେ ଥିବା ପୈତୃକ ଘର, ଭଞ୍ଜନଗରସ୍ଥିତ ସରକାରୀ କାର୍ଯ୍ୟାଳୟ, ଭୁବନେଶ୍ୱର ଖଣ୍ଡଗିରି ଥାନା ଡୁମୁଡୁମାସ୍ଥିତ କସ୍ମୋପଲିସ୍ ରେସିଡେନ୍ସୀରେ ଥିବା ୨ ବିଏଚ୍କେ ଫ୍ଲାଟ୍, ତୁସ୍ତି ରେସିଡେନ୍ସୀରେ ଥିବା ୩ ବିଏଚ୍କେ ଫ୍ଲାଟ୍ ଓ ଜାଗମରାସ୍ଥିତ ଦୁଇମହଲା ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା । ଖଲ୍ଲିକୋଟ ଲଙ୍ଗଳେଶ୍ୱରସ୍ଥିତ ପୈତୃକ ଘର, ଭୁବନେଶ୍ୱର ଖଣ୍ଡଗିରି କସ୍ମୋପଲିସ୍ ରେସିଡେନ୍ସୀର ୨ ବିଏଚ୍କେ ଫ୍ଲାଟ୍, ତୁସ୍ତି ରେସିଡେନ୍ସୀରେ ଥିବା ୩ ବିଏଚ୍କେ ଫ୍ଲାଟ, ଜାଗମରାସ୍ଥିତ ଦୁଇ ମହଲା ଘର ସମେତ ଗଞ୍ଜାମରେ ୫ଟି ଓ ଭୁବନେଶ୍ୱରରେ ୨ଟି ପ୍ଲଟ୍ ଠାବ ହୋଇଥିଲା ।

ଯାଞ୍ଚ କରିବାରୁ ନଗଦ ୨ଲକ୍ଷ ୫୦ ହଜାର ୮୮୦ ଟଙ୍କା, ୩୭.୨୩ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍, ବ୍ୟାଙ୍କ ଓ ଇନ୍ସ୍ୟୁରାନ୍ସ ଡିପୋଜିଟ୍, ୧୭.୯୫ ଲକ୍ଷ ଟଙ୍କାର ଘରର ଆସବାବପତ୍ର, ଗୋଟିଏ ୧୪ଲକ୍ଷ ଟଙ୍କାର ଚାରି ଚକିଆ ଯାନ, ୨ଟି ବାଇକ୍ ଓ ୫.୭୨ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ଆଦି ମିଳିଥିଲା ।ଏହି ଚଢ଼ଉରେ ୫ଜଣ ଡିଏସ୍ପି, ୧୧ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତିର ପରିମାଣ ବଢିବାର ସମ୍ଭାବନା ରହିଛି । ଏହି ମାମଲାର ତଦନ୍ତ ଚାଲୁ ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

Leave a comment