ସମ୍ଭାବ୍ୟ ବାତ୍ୟା ପାଇଁ ବାତିଲ ହେଲା ୭୪ଟି ଟ୍ରେନ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡ଼ିଶାକୁ ଆଉ ଏକ ବିପଦ ଘନେଇ ଆସୁଛି। ଆରବସାଗର ପରେ ଏବେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଫଳରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ବାତ୍ୟା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ‘ୟସ’ ଆସନ୍ତା ୨୪ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ସୂଚନା ଦିଆଯାଇଛି। ଓଡ଼ିଶା ସରକାର ବାତ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ମଧ୍ୟରେ ବାତ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ ପୁରୀରୁ ଯିବା ଆସିବା ଟ୍ରେନକୁ ବାତିଲ କରାଯାଇଛି। ଏଥିସହିତ ପୂର୍ବତଟ ରେଳବାଇ ପକ୍ଷରୁ ୭୪ଟି ଟ୍ରେନକୁ ବାତିଲ କରାଯାଇଛି।
ହାୱଡା ଓ ଚେନ୍ନାଇ ମୁଖ୍ୟ ଲାଇନରେ ଯାଉଥିବା କିଛି ଟ୍ରେନ ମଧ୍ୟ ବାତିଲ କରାଯାଇଛି। ବାତିଲ ହେବାକୁ ଥିବା ଟ୍ରେନ ମଧ୍ୟରେ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ପେଶାଲ, ଭୁବନେଶ୍ୱର-ହାୱଡା ଜନଶତାବ୍ଦୀ, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ସ୍ପେଶାଲ, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ସ୍ପେଶାଲ, ହାୱଡା-ପୁରୀ-ହାୱଡଶ ସ୍ପେଶାଲ, ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା, ପୁରୀ-ଋଷିକେଶ କଳିଙ୍ଗ ଉତ୍କଳ, ପୁରୀରୁ ଅହମ୍ମଦାବାଦ, ସୁରଟ ଓ ଆଜମେର ଆଦିକୁ ଯାଉଥିବା ଟ୍ରେନ ବାତିଲ କରାଯାଇଛି।