ଏସବିଆଇ ଏଟିଏମ୍‌ରେ ଟଙ୍କା ଭରିବା ନାଁରେ ୭୦ ଲକ୍ଷ ହେର୍‌ଫେର, ୪ ଅଟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ଆଳରେ ପ୍ରାୟ ୭୦ ଲକ୍ଷ ଟଙ୍କା ଲୁଟି ନେଇଛି ଟଙ୍କା ଭର୍ତ୍ତି ଦାୟିତ୍ୱରେ ଥିବା ସଂସ୍ଥା । ଏ ନେଇ ବ୍ୟାଙ୍କ ମ୍ୟାନେଜର କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଉକ୍ତ ସଂସ୍ଥାର ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନ ଅନୁଯାୟୀ, ଭୁବନେଶ୍ୱରସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ପକ୍ଷରୁ ବିଭିନ୍ନ ଏସ୍‌ବିଆଇ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପାଇଁ ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ଏହି ସଂସ୍ଥା ବ୍ୟାଙ୍କ ମ୍ୟାନେଜରଙ୍କ ଆଗରେ ଟଙ୍କା ଗଣି ଏଟିଏମ୍‌ରେ ଭରିବା ପାଇଁ ନେଇଥାଏ । ସୋମବାର ଟଙ୍କା ଭରିବା ଦାୟିତ୍ୱରେ ଥିବା କର୍ମଚାରୀମାନେ ବ୍ୟାଙ୍କ୍‌ ମ୍ୟାନେଜରଙ୍କଠାରୁ ଠିକ୍‌ ଟଙ୍କା ଆଣିଥିଲେ ମଧ୍ୟ ବିଭିନ୍ନ ଏଟିଏମ୍‌ରେ ପ୍ରାୟ ଏକ ଲକ୍ଷ ଟଙ୍କା ଲେଖାଏ ଭରି ନ ଥିଲେ । ଏହିଭଳି ସେମାନେ ପ୍ରାୟ ୭୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ବ୍ୟାଙ୍କ୍‌ ମ୍ୟାନେଜରଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ପୋଲିସ ସେମାନଙ୍କୁ ପଚରାଉଚରା କରିଥିଲେ ମଧ୍ୟ ଟଙ୍କା ସମ୍ପର୍କରେ କୌଣସି ସୂଚନା ସେମାନଙ୍କ ଠାରୁ ମିଳିପାରିନହିଁ ।

ଥାନା ଅଧିକାରୀ ମାନସ ଗଡ଼ନାୟକ କହିଛନ୍ତି, ଥାନାରେ ଅଭିଯୋଗ ହୋଇଛି । ସେମାନେ ଏହି ଟଙ୍କା ଫେରାଇଦେଲେ ମାମଲା କରାଯିବ ନାହିଁ ବୋଲି ସେ କହିଛନ୍ତି ।

Leave a comment