ଏକଜିଟ୍ ପୋଲ, ୬୫ ଆସନ ବଢ଼ାଉଛି ନେତାଙ୍କ ଟେନସନ

ଓଡିଶା ଫାଷ୍ଟ(ବ୍ୟୁରୋ): ୨୦୦୦ ମସିହାରୁ ଓଡ଼ିଶାରେ ଲଗାତାର ଭାବେ ୪ଥର ବିଜୁ ଜନତା ଦଳ ବା ବିଜେଡି ନିଜର କାୟା ବିସ୍ତାର କରିଛି । ମାତ୍ର ଏଥର ଚିତ୍ର ସାମାନ୍ୟ ଭିନ୍ନ ପରିଲକ୍ଷିତ ହେଉଛି । ୨୦୧୪ ମସିହାରେ ସମଗ୍ର ଦେଶରେ ମୋଦି ଲହର ଥିବା ବେଳେ ଓଡ଼ିଶାରେ କିନ୍ତୁ ନବୀନଙ୍କ ଯାଦୁ କାୟମ ରହିଥିଲା । ୨୦୧୯ ନିର୍ବାଚନରେ ଅନେକ ରାଜ୍ୟରେ ମୋଦି ଲହର ଫିକା ପଡିଥିବା ବେଳ ଓଡ଼ିଶାରେ କିନ୍ତୁ ଏଥର ବିଜେପି ଲହର ଥିବା ଦେଖିବାକୁ ମିଳୁଛି । ମାତ୍ର ଏ ଲହର କେତେ ଭୋଟରେ ପରିବର୍ତ୍ତନ ହେବ ତାହା ଅସ୍ପଷ୍ଟ ରହିଛି ।
ଏଥର ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବ ଏଥିରେ କୌଣସି ସନ୍ଦେହ ନାହିଁ । ରାଜ୍ୟର ଅନେକ ଆସନରେ ବିଜୟୀ ପ୍ରାର୍ଥୀ ଚିତ୍ର ସ୍ପଷ୍ଟ ହୋଇଥିଲେ ମଧ୍ୟ ୬୫ଟି ଆସନରେ କିଏ ବିଜୟୀ ହେବ ତାହା କେହି କହିପାରୁ ନାହାନ୍ତି । କାରଣ ଏହି ଆସନ ଗୁଡିକରେ କଡା ମୁକାବିଲା ହୋଇଥିବା ସର୍ଭେରୁ ସମ୍ନାକୁ ଆସିଛି । ଏହି ଆସନ ଗୁଡିକ ହେଲା:
* କୋରାପୁଟ ଲୋକସଭା ଆସନ ଅଧିନର ୬ ବିଧାନସଭା ଆସନ ଯଥା- ରାୟଗଡା, ପଟ୍ଟାଙ୍ଗି, ଜୟପୁର, ଲକ୍ଷ୍ମୀପୁର, ବିଷମକଟକ ଏବଂ ଗୁଣୁପୁର । ତେଣୁ କୋରାପୁଟ ଲୋକସଭା ଆସନରେ କିଏ ଜୟଯୁକ୍ତ ହେବ ତାହା ମଧ୍ୟ କହିବା ସମ୍ଭବପର ନୁହେଁ ।
* ନବରଙ୍ଗପୁର ଲୋକସଭା ଆସନ ଅଧିନସ୍ଥ ମାଲକାନଗିରି, ଚିତ୍ରକୋଣ୍ଡା, ଝରିଗାଁରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବ । ସେହିପରି ଉମରକୋଟ, ଡାବୁଗାଁ ଓ ନବରଙ୍ଗପୁର ରେ କଂଗ୍ରେସ ସହ ହେବ ମୁକାବିଲା । ଏତେ ସଂଘର୍ଷ ପୂର୍ଣ ମୁକାବିଲା ସତ୍ତ୍ୱେ ନବରଙ୍ଗପୁର ଲୋକସଭା ଆସନ ବିଜେଡି ଖାତାକୁ ଯିବ ।
* କଳାହାଣ୍ଡିରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିବ । ବିଜୟୀ ପ୍ରାର୍ଥୀ ଓ ପରାଜିତ ପ୍ରାର୍ଥୀଙ୍କ ମଧ୍ୟରେ ୨୦ହଜାର ରୁ ୪୦ହଜାର ଭୋଟ ପାର୍ଥକ୍ୟ ଦେଖିବାକୁ ମିଳିବ ।
* ବ୍ରହ୍ମପୁର ଲୋକସଭା ଆସନ ବିଜେଡ଼ି ଜିତିବା ନେଇ ଦଳ ନିଶ୍ଚିତ ଅଛି । ମାତ୍ର ଦଳୀୟ କନ୍ଦଳ ପାଇଁ ଗୋପାଳପୁର, ମୋହନା, ପାରଳାଖେମୁଣ୍ଡିରେ ବିଜେଡିକୁ କଡା ମୁକାବିଲା କରିବାକୁ ପଡିବ ।
* ଆସ୍କା ଲୋକସଭା ଆସନ ଅଧିନସ୍ଥ ସୋରଡା ଓ ପୋଲସରା ଆସନରେ ମଧ୍ୟ କଡା ଟକ୍କରକୁ ସାମ୍ନା କରିବ ବିଜେଡ଼ି ।
* ବରଗଡ଼ ଲୋକସଭା ଆସନରେ ବିଜୟୀ ଓ ପରାଜୟୀ ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ୍ ବ୍ୟବଧାନ ଖୁବ କମ ରହିବ ।
* ପଦ୍ମପୁର ଆସନରେ ବିଜେପି-ବିଜେଡ଼ି ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ ।
* କନ୍ଧମାଳ ଲୋକସଭା ଆସନ ଅଧିନସ୍ଥ ଦଶପଲ୍ଲା ଓ ଭଞ୍ଜନଗରରେ ବଜେପି, ବାଲିଗୁଡ଼ାରେ କଂଗ୍ରେସ, କଣ୍ଟାମାଲ ରେ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ବିଜେଡିର କଡା ମୁକାବିଲା ହେବ ।
* ବଲାଙ୍ଗୀର ଲୋକସଭା ବିଜେପି ସପକ୍ଷରେ ରହିବ । ବଲାଙ୍ଗୀର ଅଧିନସ୍ଥ ଟିଟିଲାଗଡ଼, କଣ୍ଟାବାଞ୍ଝି ଓ ବଲାଙ୍ଗୀର ଆସନରେ କଂଗ୍ରେସ ଓ ପାଟଣାଗଡ଼ ବିଧାନସଭା ଆସନରେ ବିଜେପି ସହ ବିଜେଡିର ହେବ କଡା ଟକ୍କର ।
* ସୁନ୍ଦରଗଡ ଲୋକସଭା ଆସନରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିବ । ଏହି ଲୋକସଭା ଅଧୀନ ତଲସରାରେ ବିଜେଡି ଉଭୟ ବଜେପି ଓ କଂଗ୍ରେସ ସହ ମୁକାବିଲା କରିବ । ସେହିପରି ବଣେଇ ରେ ସିପିଏମ ଓ ବିଜେପି ସହ ହେବ ମୁକାବିଲା ।
* ସମ୍ବଲପୁର ଲୋକସଭା ଆସନରେ ଦେଖିବାକୁ ମିଳିଛି କଡା ମୁକାବିଲା । ଏପରିକି ଏହି ଲୋକସଭା ଆସନଟି ବିଜେଡି ହାତରୁ ଖସିଯିବା ନେଇ ସର୍ଭେ ରିପୋର୍ଟ କହୁଛି । ସମ୍ବଲପୁର ଲୋକସଭା ଆସନ ଅଧିନସ୍ଥ ରେଙ୍ଗାଲି, ଛେଣ୍ଡିପଦା, ସମ୍ବଲପୁର ଓ ଦେବଗଡ଼ରେ ବିଜେଡି ଓ ବିଜେପି ମଧ୍ୟରେ ହୋଇଛି କଡା ମୁକାବିଲା । ସେହିପରି ଆଠମଲ୍ଲିକରେ କଂଗ୍ରେସ ସହ ହେବ ମୁକାବିଲା ।
* ଢେଙ୍କାନାଳ ଲୋକସଭା ଆସନ ବିଜେପି ଖାତାକୁ ଯିବା ସୂଚନା ମିଳୁଛି । ଢେଙ୍କାନାଳ ଲୋକସଭା ଅଧିନସ୍ଥ ଅନଗୁଳ, ପାଲ୍ଲହଡା ବିଧାନସଭା ଆସନରେ ବିଜେଡିକୁ ମିଳିଛି କଡା ଟକ୍କର ।
* ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ଭୋଟ ଆଶାତୀତ ବୃଦ୍ଧି ପାଇଛି । ତେଣୁ ଏହି ଆସନ ବିଜେଡି ହାତଛଡା କରିପାରେ । ଭୁବନେଶ୍ୱର ଲୋକସଭା ଅଧିନସ୍ଥ ଭୁବନେଶ୍ୱର(ମଧ୍ୟ)ରେ ବିଜେପି, ଜଟଣୀ ଓ ବେଗୁନିଆ ରେ କଂଗ୍ରେସ ଏବଂ ଜୟଦେବରେ ସ୍ୱାଧୀନପ୍ରାର୍ଥୀଙ୍କ ସହ କଡା ମୁକାବିଲା ଦେଖିବାକୁ ମିଳିଛି ।
* କଟକ ଲୋକସଭା ଆସନରେ ବିଜେପି ସହ ହେବ ଟକ୍କର । କଟକ ଲୋକସଭା ଆସନ ଅଧିନସ୍ଥ ବଡମ୍ବା ଓ କଟକ ସଦରରେ ବିଜେପି, ବାଙ୍କୀ ଓ ବାରବାଟି-କଟକରେ କଂଗ୍ରେସ ସହ ହେବ କଡା ମୁକାବିଲା ।
* ପୁରୀ ଲୋକସଭାରେ ବିଜେପି ଓ ବିଜେଡିକୁ ପ୍ରାୟତଃ ସମାନ ଭୋଟ ମିଳିବା ସମ୍ଭାବନା ରହିଛି । ପୁରୀ ଲୋକସଭା ଅଧିନସ୍ଥ ବ୍ରହ୍ମଗିରି, ଚିଲିକା, ରଣପୁରଗ ଏବଂ ନୟାଗଡ଼ରେ ବିଜେପି ସହ ହେବ ଟକ୍କର ।
* କେନ୍ଦୁଝର ଲୋକସଭା ବିଜେଡି ଅକ୍ତିଆର କରିବାକୁ ଆଶା ରଖିଛି । କେନ୍ଦୁଝର ଲୋକସଭା ଅଧିନସ୍ଥ ତେଲକୋଇ, କେନ୍ଦୁଝର ରେ ଦେଖିବାକୁ ମିଳିବ କଡା ଟକ୍କର ।
* ମୟୁରଭଞ୍ଜ ଲୋକସଭା ଆସନ କାହା ସପକ୍ଷରେ ଯିବ କହିବା ମୁସ୍କିଲ । ମୟୁରଭଞ୍ଜ ଲୋକସଭା ଅଧିନସ୍ଥ ବାରିପଦା, ସାରସକଣା ଓ ଯଶୀପୁର ବିଧାନସଭା ଆସନ ଫଳାଫଳ ମଧ୍ୟ ଆକଳନ କରାଯାଇ ପାରିନାହିଁ ।
* ବାଲେଶ୍ଵର ଲୋକସଭା ଆସନରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିବ । ମାତ୍ର ବାଲେଶ୍ଵର ଲୋକସଭା ଅଧିନସ୍ଥ ରେମୁଣା, ବସ୍ତା, ଭୋଗରାଇରେ ବଜେପି ସହ ହେବ କଡା ମୁକାବିଲା ।
* କେନ୍ଦ୍ରାପଡ଼ା ଲୋକସଭା ଆସନ ଏକ ବହୁଚର୍ଚ୍ଚିତ ଆସନ । ଏହି ଆସନରେ ବିଜେଡି ଓ ବିଜେପି ମଧ୍ୟରେ ଟକ୍କର ହେବା ନିଶ୍ଚିତ । ମାତ୍ର ଏହି ଆସନରେ ବିଜେଡି ଜୟଯୁକ୍ତ ହେବ ବୋଲି ସର୍ଭେରୁ ସମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ଲୋକସଭା ଅଧିନସ୍ଥ କେନ୍ଦ୍ରାପଡା, ଆଳି, ରାଜନଗରରେ କଂଗ୍ରେସ ଓ ମହାକାଳପଡ଼ାରେ ବଜେପି ସହ ହେବ ମୁକବିଲା ।
* ଜଗତସିଂହପୁର ଲୋକସଭା ଆସନ ବିଜେଡି ସପକ୍ଷରେ ଯିବ । ଜଗତସିଂହପୁର ଲୋକସଭା ଆସନ ଅଧିନସ୍ଥ ଜଗତସିଂହପୁର, ପାରାଦୀପରେ କଂଗ୍ରେସ ଓ ନିଆଳିରେ ବିଜେପି ସହ ହେବ ଟକ୍କର ।
* ଭଦ୍ରକ ଲୋକସଭା ଆସନରେ ବିଜେଡି ଓ ବିଜେପି ମଧ୍ୟରେ ହେବ ମୁକାବିଲା । ମାତ୍ର କଂଗ୍ରେସ ପ୍ରାର୍ଥୀର ଉପସ୍ଥିତି ବିଜେଡିକୁ ଫାଇଦା ଦେବବୋଲି କୁହାଯାଉଛି । ଭଦ୍ରକ ଲୋକସଭା ଆସନ ଅଧିନସ୍ଥ ଭଣ୍ଡାରିପୋଖରୀ, ସୋର ରେ କଂଗ୍ରେସ ଓ ଭଦ୍ରକ, ଚାନ୍ଦବାଲି, ଧାମନଗରରେ ବିଜେପି ସହ ହେବ କଡା ଟକ୍କର ।
ଏହିପରି ଭାବରେ ୬୫ ବିଧାନସଭା ଆସନ କାହା ସପକ୍ଷରେ ଯିବ କହିବା ମୁସ୍କିଲ । ଏହିସବୁ ଆସନରେ ଦେଖିବାକୁ ମିଳିବ କଡା ଟକ୍କର । ବିଜୟୀ ଓ ପରାଜୟୀ ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ ବ୍ୟବଧାନ ୨୦ହଜାର ରୁ ୪୦ ହଜାର ମଧ୍ୟରେ ରହିବ । ୧୪୬ଟି ବିଧାନସଭା ଆସନ ମଧ୍ୟରୁ ୭୨ଟି ଆସନରେ ବିଜେଡି ଜିତିବା ନିଶ୍ଚିତ ଥିବା ବେଳେ ଏହି ୬୫ଟି ଆସନରୁ ୩୦ରୁ ୪୦ଟି ଆସନ ବିଜେଡି ଖାତାକୁ ଯିବା ଆଶା କରାଯାଉଛି । ତେବେ ସର୍ବମୋଟ ବିନେଡି ୧୦୦ରୁ ୧୧୦ ଆସନରେ ବିଜୟଲାଭ କରିବ ବୋଲି ଆକଳନ କରାଯାଇଛି । ସେହିପରି ୨୧ ଟି ଲୋକସଭା ଆସନରୁ ଅତିକମରେ ୧୨ ରୁ ୧୪ ଓ ଅତି ବେଶୀରେ ୧୫ ରୁ ୧୬ ଟି ଲୋକସଭା ଆସନ ବିଜେଡି ବିଜୟ ଲାଭ କରିବ ।