ବାରବାଟୀ ଷ୍ଟାଡିୟମରେ ୫-ଟି ସଚିବ ଭିକେ ପାଣ୍ଡିଆନ, ସମୀକ୍ଷା କଲେ ବିଶ୍ଵକପ ଉଦଘାଟନ କାର୍ଯ୍ୟକ୍ରମ
ବାରବାଟୀ ଷ୍ଟାଡିୟମରେ ଆଜି ହକି ବିଶ୍ଵକପ ଉଦଘାଟନ କାର୍ଯ୍ୟକ୍ରମର ସମସ୍ତ କାର୍ଯ୍ୟ ସମୀକ୍ଷା କରିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ । ୫-ଟି ସଚିବଙ୍କ ସହ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା, ସିଏମସି କମିଶନର, କଟକ ଜିଲ୍ଲାପାଳ, ମେୟରଙ୍କ ସମେତ ବାଙ୍କୀ ବିଧାୟକ, ଚୌଦ୍ୱାର-କଟକ ବିଧାୟକ ଓ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ଥିଲେ।
ପୁଲିସ କମିଶନର ସୂଚନା ଦେଇଛନ୍ତି ଯେ, ହକି ବିଶ୍ଵକପ ଉଦଘାଟନ କାର୍ଯ୍ୟକ୍ରମ ଦିନ ସହରରେ ୫୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ । ଆସନ୍ତା ବୁଧବାର ଦିନ ଅର୍ଥାତ ୧୧ ତାରିଖରେ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ବକପ ପାଇଁ ଉଦଘାଟନୀ ଉତ୍ସବର ଆୟୋଜନ କରାଯିବ । ଉତ୍ସବ ଦିନ ଷ୍ଟାଡିୟମ ବାହାରେ ଓ ଭିତରେ ପ୍ରାୟ ୫୦ ପ୍ଲାଟୁନ ପୋଲିସ ସହ ମୁତୟନ ହେବେ ୨୦୦ ଅଫିସର । ସେହିଭଳି ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମ ଭିତରକୁ ଦର୍ଶକମାନେ ଖାଦ୍ୟ ପଦାର୍ଥ, ପାଣି ବୋତଲ ନେଇପାରିବେନି । ଷ୍ଟାଡିୟମ ଭିତରେ ଦର୍ଶକଙ୍କ ପାଇଁ ଖାଦ୍ୟ ଓ ପାଣିର ବ୍ୟବସ୍ଥା କରାଯାଇଛି । ଉତ୍ସବ ଦିନ ସାଧାରଣ ଦର୍ଶକ ପାଇଁ ଦିନ ୨ଟାରୁ ଷ୍ଟାଡିୟମ ଖୋଲା ରହିବ । ତେବେ ଉତ୍ସବରେ ବହୁ ଲୋକ ସମାଗମ ହେବାକୁ ଥିବାରୁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସହ ପାର୍କିଂ ବ୍ୟବସ୍ଥା କରାଯିବ ବୋଲି କଟକ ଡିସିପି କହିଛନ୍ତି ।