ତାଳଦଣ୍ଡା କେନାଲ ବନ୍ଧରେ ୩ ଲେନ୍ର ରାସ୍ତା ଝଲସିବ ଉଜ୍ୱଳ ଆଲୋକରେ, ସମୀକ୍ଷା କଲେ ୫-ଟି ସଚିବଙ୍କ ଟିମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ ଚଳିତବର୍ଷ ଜାନୁୟାରୀ ମାସରେ କଟକ ଗସ୍ତ ସମୟରେ ଯେଉଁ ଘୋଷଣା କରିଥିଲେ ସେହି କାର୍ଯ୍ୟର ଅଗ୍ରଗତି ସଂକ୍ରାନ୍ତରେ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ନେତୃତ୍ୱରେ ଏକ ଟିମ୍ କଟକ ଗସ୍ତ କରି ସମୀକ୍ଷା କରିଛନ୍ତି । ଏହି ଟିମ୍ରେ ପୂର୍ତ୍ତ ଓ ଶକ୍ତି ସଚିବଙ୍କ ସମେତ କେନ୍ଦ୍ରାଞ୍ଚଳ ଆରଡିସି, କଟକ ଜିଲ୍ଲାପାଳ, ପୂର୍ତ୍ତ ସଚିବ ଏବଂ ସ୍ୱାସ୍ଥ୍ୟ ବିଭାଗର ପ୍ରତିନିଧିମାନେ ରହିଥିଲେ । ଚାଲିଥିବା କାର୍ଯ୍ୟର ସମୀକ୍ଷା ସହିତ ତାଳଦଣ୍ଡା କେନାଲର ଉଭୟ ବାମ ଓ ଦକ୍ଷିଣ ପାଶ୍ୱର୍ରେ ୩ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି ।
ଏସ୍ସିବି ମେଡିକାଲର ସମ୍ପ୍ରସାରଣ ସହିତ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଠାକୁ ରୋଗୀମାନେ ଆସୁଥିବାରୁ ଉଭୟ ଆମ୍ବୁଲାନ୍ସ ଓ ରୋଗୀ ଡାକ୍ତରଖାନାକୁ ସୁବିଧାରେ ଆସିବାପାଇଁ ବର୍ତ୍ତମାନ ତାଳଦଣ୍ଡା କେନାଲର ଉଭୟ ବାମ ଓ ଦକ୍ଷିଣ ପାଶ୍ୱର୍ରେ ଥିବା ରାସ୍ତା ଉପରେ ନିର୍ଭର କରୁଛନ୍ତି । ତେଣୁ ବନ୍ଧର ଉଭୟ ପାଶ୍ୱର୍ରେ ଥିବା ସଡକକୁ ଯୋବ୍ରା ନିକଟସ୍ଥ କଟକ ରିଙ୍ଗ ରୋଡ୍ ଠାରେ ସଂଯୋଗ ପାଇଁ ନିଷ୍ପତ୍ତି ହୋଇଛି ଯାହା ଫଳରେ ସହର ବାହାରୁ ଆସୁଥିବା ରୋଗୀମାନେ ତୁରନ୍ତ ବିନା ବାଧାରେ ଏସ୍ସିବି ମେଡିକାଲ କଲେଜରେ ପହଞ୍ଚିପାରିବେ । ତଦନୁଯାୟୀ ୫-ଟି ସଚିବଙ୍କ ନେତୃତ୍ୱରେ କଟକ ଯାଇଥିବା ଟିମ୍ ଉଭୟ ପଟ ବନ୍ଧ ରାସ୍ତାକୁ ୩ ଲେନ୍ ବିଶିଷ୍ଟ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି । ସେହି ଅନୁଯାୟୀ ବର୍ତ୍ତମାନ ଦକ୍ଷିଣ ପାଶ୍ୱର୍ରେ ଯୋବ୍ରା ଠାରୁ ହିନ୍ଦ୍ ସିନେମା ଛକ ଏବଂ ବାମ ପାଶ୍ୱର୍ରେ ଯୋବ୍ରା ଠାରୁ କଟକ ମିଠା ଦୋକାନ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲ ବନ୍ଧକୁ ରାଜ୍ୟ ଯୋଜନାରେ ସମ୍ପ୍ରସାରିତ କରାଯିବ । ଉଭୟ ପାଶ୍ୱର୍ ବନ୍ଧର ଦୈର୍ଘ୍ୟ ୧୫୫୦ ମିଟର ରହିଛି । ମାଲ ପରିବହନ ପାଇଁ ବନ୍ଧର ଚଉଡା ୩.୫ ମିଟରରୁ ୯.୩୦ ମିଟରକୁ ବୃଦ୍ଧି କରାଯିବ । ଏହି ସଡକ ପାଶ୍ୱର୍ରେ ୯୫୦ ମିଟର ଦୈର୍ଘ୍ୟର ସଡକ ରହିବ । ସେହିଭଳି ଆଉ ଗୋଟିଏ ବନ୍ଧର ଚଉଡା ୩.୫ ମିଟରରୁ ୧୨.୩୦ମିଟରକୁ ବୃଦ୍ଧି କରାଯିବ ଏବଂ ଏହା ପାଶ୍ୱର୍ରେ ୬୦୦ ମିଟରର ସଡକ ରହିବ ।
ସେହିଭଳି ପ୍ରସ୍ତାବିତ ସଡକ ପାଶ୍ୱର୍ରେ ୧୫ମିଟର ଚଉଡାର ପାଦଚଲା ରାସ୍ତା ରହିବ । ସଡକର ଉଭୟ ପାଶ୍ୱର୍ରେ ଗାଡି ରଖିବା ପାଇଁ ସ୍ଥାନ ନିର୍ଦ୍ଧାରଣ ହେବ । ବନ୍ଧର ଉଭୟ ପାଶ୍ୱର୍ରେ ଗଛ ଲଗାଇ ସୌନ୍ଦର୍ଯ୍ୟକରଣ କରାଯିବା ସହିତ ସବୁଜ ବଳୟ ସୃଷ୍ଟି ହେବ । ବାମପାଶ୍ୱର୍ ବନ୍ଧରେ ପାର୍କିଂ ସୁବିଧା ସହିତ ଲ୍ୟାଣ୍ଡସ୍କେପିଙ୍ଗ୍ କରାଯିବ । ପ୍ରସ୍ତାବିତ ନୂତନ ସଡକକୁ ଆଲୋକିକରଣ ଲାଗି ଆବଶ୍ୟକ ପରିମାଣର ଷ୍ଟ୍ରିଟ୍ ଲାଇଟ୍ ଲଗାଯିବାର ବ୍ୟବସ୍ଥା ହୋଇଛି । କଟକରେ ହେବାକୁ ଥିବା ବିଭିନ୍ନ ଉଦ୍ଘାଟନୀ କାର୍ଯ୍ୟକ୍ରମ ସମ୍ପର୍କରେ ଏହି ଟିମ୍ ସମୀକ୍ଷା କରିଛନ୍ତି । ତାଳଦଣ୍ଡା କେନାଲ ସଫେଇ, ଏସ୍ସିବି ମେଡିକାଲ କଲେଜ ଜମିର ଉନ୍ନତିକରଣ, ଟ୍ରାଫିକ ବ୍ୟବସ୍ଥାର ସୁଦୃଢୀକରଣ ଓ ପାର୍କିଂ, ଭବିଷ୍ୟତର ସମ୍ପ୍ରସାରଣ ଓ ଛତ୍ରବଜାର ଅଞ୍ଚଳର ଉନ୍ନତିକରଣ ସମ୍ପର୍କରେ ଏହି ଟିମ୍ ଅନୁଧ୍ୟାନ କରିଛନ୍ତି ।