ବିଷ ଦେଇ ୫୮ ଗାଈଙ୍କୁ ହତ୍ୟା କଲା ଚାକର
ପ୍ରତିଶୋଧ ନିଆଁରେ ଲୋକେ ନିଜର ହିତାହିତ ଜ୍ଞାନ ଭୁଲି ଯାଆନ୍ତି। କେଇ କ୍ଷଣରେ ଏମିତି ବଡ ଭୁଲ ଏବଂ ଅଘଟଣ କରି ଦିଅନ୍ତି ଯାହା କଳ୍ପନା ବାହାରେ ଥାଏ। ଏମିତି ଏକ ଘଟଣା ଯେଉଁଠି ଜଣେ ବ୍ୟକ୍ତି ପ୍ରତିଶୋଧ ନେବାକୁ ଯାଇ ପାଣିରେ ବିଷ ମିଶାଇ ୫୮ ଗାଈଙ୍କ ହତ୍ୟା କରିଛି। ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି। ଏପରି ଅଭାବନୀୟ ଘଟଣା ନୋଏଡା ଥାନା ଅନ୍ତର୍ଗତ ସୁରଜପୁର ଅଞ୍ଚଳ ଖୋଦନା ଖୁର୍ଦ ଗାଁରେ ଘଟିଛି। ଅଭିଯୁକ୍ତ ଜଣକ ପୂର୍ବରୁ ଏଠାରେ କାମ କରୁଥିଲା। କାମରୁ ବାହାର କରି ଦିଆଯିବାରୁ ପ୍ରତିଶୋଧ ପରାୟଣ ହୋଇ ବିଷ ଦେଇ ଗାଈଙ୍କୁ ହତ୍ୟା କରିଥିବା ପୋଲିସ ଅଧିକାରୀ କହିଛନ୍ତି।
ପୋଲିସ କମିଶନରଙ୍କ ମୁଖପାତ୍ର ଆଲୋକ ସିଂହ କହିଛନ୍ତି, ଖୋଦନା ଖୁର୍ଦ ଗାଁରେ ରହୁଥିବା ଓମବୀର ନାଗରଙ୍କ ଗୋଶାଳା ରହିଛି। ଏଠାରେ ବହୁ ସଂଖ୍ୟାରେ ଗାଈ ରହିଛନ୍ତି। ହେଲେ ଓମବୀର ନାଗରଙ୍କ ୫୮ ଗାଈ ପାଞ୍ଚ ଦିନ ଭିତରେ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହା ପରେ ସେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପଶୁ ଡାକ୍ତରଙ୍କ ଟିମ୍କୁ ଡକାଇ ଯାଞ୍ଚ କରିବାରୁ ଜଣା ପଡିଲା ଯେ, ଗାଈଙ୍କ ମୃତ୍ୟୁ ବିଷ ଖାଇବା ଯୋଗୁଁ ହୋଇଛି।
ଏହା ପରେ ପୋଲିସ ଖୋଳତାଡ କରି ଶନିବାର ଓମବୀର ନାଗରଙ୍କ ପୁରୁଣା ଚାକର ଧର୍ମେନ୍ଦ୍ରଙ୍କୁ ଗିରଫ କରିଛି। ଜେରା ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ଧର୍ମେନ୍ଦ୍ର ଜଣେ ନିଶାଖୋର ବ୍ୟକ୍ତି। ଏହି କାରଣରୁ ତାଙ୍କୁ ମାଲିକ କାମରୁ ବାହାର କରି ଦେଇଥିଲ। ଏଥିରେ କ୍ରୋଧିତ ହୋଇ ଧର୍ମେନ୍ଦ୍ର ଗାଈଙ୍କୁ ଦିଆଯାଉଥିବା ପାଣି କୁଣ୍ଡରେ ବିଷ ମିଶାଇ ଦେଇଥିଲା। ଯାହାକୁ ପିଇ ୫୮ ଗାଈଙ୍କ ପାଞ୍ଚ ଦିନ ଭିତରେ ମୃତ୍ୟୁ ଘଟିଛି।